Unknown

 

 

 

 

 

 

 

 

 

 

 

ନିଶବ୍ଦ ସକାଳ

କନକଲତା ସିଂହ

 

ଉତ୍ସର୍ଗ

 

ଏ ଯାବତ୍ ବାଟ ଚାଲିବାର ପ୍ରେରଣା

ଯିଏ ଦେଇ ଆସିଛନ୍ତି ସେଇ

ସ୍ୱର୍ଗତ ପିତା ଧ୍ରୁବଚରଣ

ସିଂହଙ୍କ ସ୍ମୃତି

ଉଦ୍ଦେଶ୍ୟରେ ।

 

-କୁନି-

Image

 

ସୂଚୀପତ୍ର

 

୧.

ବର୍ଷାଦିନ

୨.

ଅମୀୟ ନନ୍ଦ

୩.

ସୂର୍ଯ୍ୟ ସ୍ନାନ

୪.

ସାରିଆ

୫.

କୋରସ୍‌

୬.

ସଂଜ୍ଞା

୭.

କବିତା-ସମ୍ପର୍କରେ

୮.

ସହର

୯.

ମାଗୁଣି

୧୦.

କଟକ ଏକ ବିଶ୍ଳେଷଣ

୧୧.

ଯାତ୍ରା

୧୨.

ଭିନ୍ନପଥ

୧୩.

ଉତ୍ତର

୧୪.

ଭିନ୍ନ ମୁହୂର୍ତ୍ତର ସ୍ୱର

୧୫.

ପ୍ରଭୁ ପାଇଁ

୧୬.

କିଞ୍ଚିତ୍

୧୭.

ଅପରାହ୍ନ : ପରାସ୍ତ ମୁହୂର୍ତ୍ତରେ

୧୮.

ତୁମକୁ ପ୍ରଶ୍ନଟିଏ

୧୯.

ନିଷ୍ଠୁର ପୃଥିବୀ

୨୦.

ପାଦ

୨୧.

ଜନ୍ମଦିନ

୨୨.

କେତେଦିନ

୨୩.

ନଦୀର ଅନୁଚିନ୍ତା

୨୪.

ତାଳଚେର

୨୫.

ସମୟର ସ୍ୱର

୨୬.

ବିଗତକୁ ! ନୂତନକୁ

୨୭.

ରବିବାର

୨୮.

ନିଦ

୨୯.

ଆଷାଢ଼-ସଂଗୀତ

୩୦.

ସକାଳର ପକ୍ଷୀ

୩୧.

ବୈଦେହୀର ବାର୍ତ୍ତା

୩୨.

ନଈରୁ ମଶାଣିକୁ

୩୩.

ଲଳିତାର ଉକ୍ତି

୩୪.

ପରୀକ୍ଷା

୩୫.

ମୁଜିବୁର୍

୩୬.

ତମେ / ମୁଁ –ଆଉ ପିକ୍‌ନିକ୍

୩୭.

ଅନୁରଣନ

୩୮.

ଚନ୍ଦ୍ରଚୋରୀ

୩୯.

ବର୍ଷାସ୍ମୃତି

୪୦.

ଝୋଟି

୪୧.

ଚିଠି

୪୨.

ପବନ

୪୩.

ଲନ୍‌ଠନ୍

୪୪.

କିମ୍ଭୂତ

୪୫.

ବୃତ୍ତ

୪୬.

କଟାଳ କରିବୁ

୪୭.

ପୁନରପି ସମୁଦ୍ର ସହିତ

୪୮

ବର୍ଷାରାତି

Image

 

ନିଜ କବିତା ସମ୍ପର୍କରେ :

 

ଯେଉଁ ଛବିଟି ମୋତେ ହାତଠାରି ଡାକୁଥିଲା ଇଙ୍ଗିତରେ ଅଲକ୍ଷିତରେ, ସେଇ ଛବିଟି କେମିତି କେଜାଣି ହଠାତ୍ ଦିନେ ଉଡ଼ାଚଢ଼େଇ ପରି ଉଡ଼ିଆସି ଧରାଦେଲା ମୋ ହାତ ପାଆନ୍ତାରେ, ସୁନ୍ଦର ସକାଳରେ । ସେଇ ଛବିଟି ହେଉଛି ମୋ କବିତା । ଆଉ ସେଇ କବିତାଗୁଡ଼ିକରେ ପରସ୍ତ ପରସ୍ତ ହେଇ ନେସି ହୋଇଯାଇଛି ଛବିଟିର ରୂପ ରଙ୍ଗ । ପରଜାପତି ପରି ଡେଣା ମେଲେଇ ସେ କେତେବେଳେ ଉଡ଼ି ଯାଇଛି ଘଞ୍ଚ ଗହଳିଆ ବୁଦାମୂଳକୁ ତ ପୁଣି କେତେବେଳେ ନହନହକା ଡାଳରେ ଦୋଳି ଖେଳି ଖେଳି ଫେରି ଆସିଛି ଜୀବନର ଟାଙ୍ଗରା ମରୁଭୂଇଁ ଉପରକୁ, ଯେଉଁଠି ଚାଇଁ ଚାଇଁ ବାଲି ତାତେ, ମଧ୍ୟାହ୍ନର ସୂର୍ଯ୍ୟ ନଇଁଆସେ । ...କୂଳ, ଅକୂଳ ନ ମାନି ସେ ଛୁଇଁ ଯାଇଛି ବନାନୀର ସବୁଜିମାକୁ ଯେଉଁଠି ନଶବ୍ଦରେ ତା’ ସହିତ ଦି’ପଦ କଥା କହିହୁଏ । ଏଇ ମୋର କବିତା-। ୟାକୁଇ ସଜେଇ ଏକାଠି କରି ନୂଆ ରୂପରେ ଦେଖିବା ପାଇଁ ମୋତେ ପ୍ରଥମେ ଉତ୍ସାହିତ କରିଛନ୍ତି ମୋର ପୂଜ୍ୟ ‘ମାତୃଭୂମି’ର ସମ୍ପାଦକ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ କର । ଏଥିପାଇଁ ତାଙ୍କ ନିକଟରେ ମୁଁ ଋଣୀ । କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ଆଗରୁ ପ୍ରକାଶିତ । ତଥାପି ଏହାର ପ୍ରକାଶନରେ ଯେଉଁ ବନ୍ଧୁମାନେ ସବୁପ୍ରକାର ସାହାଯ୍ୟ ସହଯୋଗ କରିଛନ୍ତି, ପ୍ରେରଣା ଯୋଗାଇଛନ୍ତି, ସେମାନେ ହେଲେ କଲ୍ୟାଣୀ ମହାକୁଳ, ଅଗ୍ରଜ ପ୍ରତିମ ବନ୍ଧୁ ଅଧ୍ୟାପକ ଶ୍ରୀ ଲକ୍ଷ୍ମୀଧର ଶ୍ରୀଚନ୍ଦନ ଓ ସାହିତ୍ୟିକ ଶ୍ରୀ ଗଣେଶ ପ୍ରସାଦ ପରିଜା-। ଏମାନଙ୍କୁ ଧନ୍ୟବାଦ । ସଂକଳନର ପ୍ରଚ୍ଛଦପଟ୍ଟକୁ ଆକର୍ଷଣୀୟ କରି ତୋଳିବାରେ ସାହାଯ୍ୟ କରିଥିବାରୁ ଶିଳ୍ପୀବନ୍ଧୁଙ୍କୁ ମଧ୍ୟ ଧନ୍ୟବାଦ ଦଉଚି ।

 

ପରିଶେଷରେ, ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶା ବୁକ୍ ଷ୍ଟୋର ଏହାର ସମସ୍ତ ଭାର ବହନ କରିଥିବାରୁ ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ରଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରି ରହୁଚି ।

 

କନକଲତା ସିଂହ

ବାହୁଡ଼ାଦଶମୀ, ୮୪

Image

 

।। ବର୍ଷାଦିନ ।।

 

ବର୍ଷାଦିନ ! ଆକାଶରେ ଦିଶେନାଇଁ ତାରା ଆଉ ଜହ୍ନ ।

ଫିକାଫିକା ସମୟର ଦିଗହଜା କ୍ଳାନ୍ତିତଳେ

ଶୁଭେ ଏଠି କାହାର କାରୁଣ୍ୟ, ବର୍ଷାଦିନ ।

ବର୍ଷାଦିନ ଆସିଥିଲା ଢେଉର ଡଙ୍ଗାରେ ଚଢ଼ି ସୁଅ କାଟି

ଆଗକୁ ଆଗକୁ ଜଳର ଭଉଁରୀ ଡେଇଁ,

ଡେଇଁ ପୁଣି ସ୍ମୃତି ଆଉ ବିସ୍ମୃତିର ବାଲିବନ୍ତ ପରେ

ନାଲି ନାଲି ରଙ୍ଗଣୀ ଫୁଲର କଢ଼,

ଧାନର କିଆରୀ ଆଉ ବୃକ୍ଷଲତା ସବୁଜ ସମ୍ଭାରେ

ଗୁଲୁଗୁଲୁ ସାଧବବୋହୂର ଚାଲି, ବିସ୍ତୀର୍ଣ୍ଣ ଘାସର କ୍ଷେତ

ହିଡ଼ ମୁଣ୍ଡେ ଚାଷୀର ଆନନ୍ଦ,

ସକାଳର ସୁନା ସୁରୁଜର ଢେଉ ପଛେ ପଛେ–

ଛପି ଛପି କିଏ ଜଣେ ଚାଲେ ସିଏ ବର୍ଷାଦିନ ।

ବର୍ଷାଦିନ । ଛାଇ ଓ ଅନ୍ଧାର ତଳେ ନିଷିଦ୍ଧ ରୋଦନ ।

ଯାହା ଶୁଣି ବିଚଳିତ ମନ

ଏତେବେଳେ ମନେପଡ଼େ ଆମ ଗାଆଁ, ତୁମ ଗାଆଁ ଆମ୍ୱତୋଟା,

ଖରି ବଣ ସବୁ ସତ୍ତ୍ୱେ ତୁମ କଥା,

ମନେହୁଏ ପାହାଡ଼ର ଫାଙ୍କେ ଫାଙ୍କେ ତୁମେ ଅବା ପାଲଟିଚ

କେଉଁ ଏକ ଦୂର ଗାଆଁ ଜହ୍ନ ।

ବର୍ଷା ସାଥେ ତୁମେ ଆସ ସାଳନ୍ଦୀ ଓ ବଳଙ୍ଗର ଉଚ୍ଛ୍ୱାସ ଜଳରେ

ବର୍ଷା ସାଥେ ତୁମେ ଫେର ଏ ରାତିର ଭିଜାଭିଜା

ଟୋପା ଶିଶିରରେ

ତୁମେ ପୁଣି ହୁଅ ବର୍ଷାଦିନ ।

ବିସ୍ମୃତିର ନଷ୍ଟ ଉପତ୍ୟକା ତୁମ ପାଇଁ ପାଲଟଇ ସ୍ୱର୍ଣ୍ଣ ସିଂହାସନ ।

ତୁମ ଆଖି ଲୁହ ଯଦି ବରଷାର ଧାରା ହୋଇ

ମୋ ଫେରିବା ବାଟ ବନ୍ଦ କରେ

ତୁମେ କି ବୁଝିବ କୁହ ଏ ମନର କେତେ ବ୍ୟଥା ଝରା ମର୍ମରରେ

ପଉଷର ପାଳିତ ପତର ଅବା ଦିଗହଜା ଏ ରାତିର

ଜ୍ୟୋତ୍ସ୍ନା କାକରରେ । ପୁଣି ଫେରି ଆସେ–

ବର୍ଷାଦିନ ! ଓ ଯେତେ ଭାସମାନ ଦିନ ।

ତୁମକୁ ଖୋଜଇ ମୁହିଁ ସେପଟ ମୋର କାଗଜ ଡଙ୍ଗାରେ ବସି

ପାରିହୋଇ ଆଷାଢ଼ ଶ୍ରାବଣ

ଉଦ୍ଦାମ ନଦୀର ସ୍ରୋତ ଜ୍ୟୋତ୍ସ୍ନାଭରା ଆକାଶର ନୀଳ

ପବନ ଓ ଝିଲ୍ଲୀର ଝଙ୍କାର ସାଥେ ସୁର ତୋଳେ ଏଠି ମହାକାଳ

ବୁଝିବି ହୁଏନ। ବୁଝି ମନେ ଜାଗେ ଶଙ୍କା ଓ ସଂଶୟ

ଛାୟାବୃତ ଘେରା ପଥେ ଯେ, ରହସ୍ୟ ରହିଛି ଅକ୍ଷୟ

ଚତୁର୍ଦ୍ଦିଗ ଶୂନ୍ୟ ନସ୍ତବ୍ଧ

ମନେ ହୁଏ ଦୂର କେଉଁ ଅତୀତର ମୃତ ପଦଶବ୍ଦ

ଏତେବେଳେ ଚୁପ୍‍ଚାପ୍‍ ପାଦଗଣି ଫେରିଆସେ

ମୋ ମନ ଦିଗନ୍ତ ଛୁଇଁ, ଛୁଇଁ ପୁଣି ଟୋପା ଟୋପା

ମେଘର ଢେଉରେ

ବର୍ଷାଦନ !

ପୋଖରୀ ଓ ଆକାଶରେ ଫୁଟେ ନାହିଁ କଇଁ ଆଉ ଜହ୍ନ ।

Image

 

॥ ଅମୀୟ ନନ୍ଦ ॥

 

ଚଉମୁହାଁଣିର ଛକେ ସୂର୍ଯ୍ୟ ଜଳେ

ପେନ୍ଥା ପେନ୍ଥା ବିଷଫୁଲ ଫୁଟେ ।।

ଓ ତା’ର ବାସ୍ନାରେ ଭିଜିଯାଏ ସାର୍ଟପ୍ୟାଣ୍ଟ

କେବେ କେବେ ଧୋତି କୁଞ୍ଚକାନି ଅତରର ତୀବ୍ର ମହକରେ

ନିଶକୁ ଫୁଲାଇ

ଅମୀୟ ନନ୍ଦ ଚାଲଇ ହାତକୁ ହଲାଇ !!

ଅମୀୟ ନନ୍ଦର ଏଠି ପୁଅ ନାହଁ, ଝିଅ ନାହିଁ

ଭାର୍ଯ୍ୟା କାନ୍ଦେ ଲୁହକୁ ଝରାଇ

ସେ ଲୁହର ନଈ ଦାଢ଼େ ଆଖିରେ ଚଷମା ଆଉ

ଭାରି ପାଦ ପାହୁଲ ପକାଇ

ଅମୀୟ ନନ୍ଦ ଚାଲିଛି ଜୀବନର ଉପକୂଳେ ଧୂଆଁ କୁହୁଳାଇ ।

ତା’ ଗତିରେ ଆରମ୍ଭଇ, ଶେଷ ନାହିଁ

ସାତ ରାତି ଅନ୍ଧାର ଓ ପବନର ବେଗ

ଭାର୍ଯ୍ୟା ଆଖି ଲୁହ ଆଉ ପ୍ରେମିକାର ଚାଟୋଇ ବଚନ

ହଠାତ୍ ଛାତିରେ ତା’ର ଆଣିଦିଏ ଅଗ୍ନିର ସ୍ପନ୍ଦନ !

ସବୁ ଅନ୍ଧକାର, ଧୂଆଁମୟ ।

ଶୂନଶାନ୍‌ ଅନ୍ଧାରରେ ମଥା ପିଟି ପିଟି

କେତେ ବା କାନ୍ଦିବ ଆଉ

ମନ ତା’ର ଓଦାହୁଏ, ନଈକୂଳ ବାଲି

ପରସ୍ତ ପରସ୍ତ ସ୍ଵପ୍ନ ତୁଟିଯାଏ

ଚୂନ ଛଡ଼ା କାନ୍ଥପରି ନେଳି ଆଉ ରଙ୍ଗଭରା ନାଲି

ହଠାତ୍ ବାହୁନା ଭୁଲି

ସମୟର ବିସ୍ତୀର୍ଣ୍ଣ ପାହାଚେ

ଲୁହ ସବୁ ପୋଛି ପାଛି

ଦୁଇ ହାତେ ଅଣ୍ଟାକୁ ସଳଖି ଠିଆହୁଏ

ଏବଂ ପାଦ ତା’ର ଧସି ଯାଏ

ଚୋରାବାଲି ତଳେ ।।

କିଏ ଅବା ଜାଣିଥିଲା ସେଇଦିନ

ଅମୀୟ ନନ୍ଦର ମୃତ୍ୟୁ ହେବ ।

ଲିଭିଯିବ ଛାତି ପକେଟ୍‍ରୁ ତା’ର

ଅତରର ତୀବ୍ର ଗନ୍ଧ

ମଣିବନ୍ଧେ ଗୁଡ଼ା ଫୁଲମାଳ

ଶୁଖି ଶୁଖି ଝରିଯିବ

ନିଶ୍ଚିହ୍ନ ବି ହେବ

ଟାଉଟରୀ ଜାଲିଆତି ଓ ନାରୀଧର୍ଷଣ

ଖଚମିଛ ଯେତେ ଆତ୍ମଶ୍ଳାଘା ।

ଜ୍ଞାତି ଓ କୁଟୁମ୍ବମାନେ

କାନ୍ଦୁଥିବେ ସକେଇ ସକେଇ

ଭାର୍ଯ୍ୟ। ଆଉ ପ୍ରେମିକାର

ସୁଗୋଲ ସୁଢ଼ୋଳ ବାହୁ

କାକୁସ୍ତରେ ମଡ଼ା ଅଣ୍ଡାଳିବ ଓ ବିମର୍ଷ ଓଠରେ ଥାପି

କାନ୍ଦଣାର ସୁର

ଛୁଇଁ ଛୁଇଁ ଯିବ ଯାହା

ଘରର ମଥାନ ଆଉ ଆକାଶ, ଚଢ଼େଇ

ମହାକାଳ ତୀବ୍ର ଆହ୍ଵାନରେ ॥

 

(ଦୁଇ)

 

ଅମୀୟ ନନ୍ଦର ମନ ଭାରାକ୍ରାନ୍ତ ଚେତନା ଆଚ୍ଛନ୍ନ ।

ପୁନର୍ବାର ଅନ୍ଧକାର ମାତାର ଜଠର

ଫେରିଆସେ ସମୟର କଡ଼ି ଗଣି ଗଣି

କେଉଁଠାରେ ଥିଲା ସିଏ

କେଉଁଠାରେ ଲେଉଟ ଉଜାଣି

ସବୁ ଶୂନ୍ୟ ମହାଶୂନ୍ୟ

ଅନ୍ଧକାର ।। ବହଳ ଅନ୍ଧାର ।।

ଦୁଇହାତ ଯୋଡ଼ି ଡାକେ

ପ୍ରଭୁ ମତେ ମୁକ୍ତି ଦିଅ

ମୁକ୍ତିଦିଅ ମାତାର ଜଠରୁ

ରକ୍ତ ପୂଜ ଭରା ସ୍ନାୟୁ ଓ ତନ୍ତୁରୁ ।

ମୁଁ କରିଛି ଅପକର୍ମ ଭାଙ୍ଗିଛି ମାରିଛି

ବହୁନାରୀ ସମ୍ଭୋଗରେ

ଲମ୍ଫଟିଆ ନାଗର ହେ ।

ତମକୁ ମୁଁ ବଳିଅଛି

ତୁମକୁ ଠକିଛି ।

ଯେ ହେତୁ ପୃଥିବୀ ଆଜି ନୀରବିତ

ନୀରବିତ ଶୂନ୍ୟ ଜଳ ସ୍ଥଳ

ମାତାର ଜଠରେ ଥାଇ

ଡାକୁଅଛି ଆହେ ଆଦିମୂଳ ।

ମୁଁ ଏଠାରେ ଅନୁତପ୍ତ

ଗଭୀର ସନ୍ତପ୍ତ

କଲା କର୍ମ ପାଇଁ

ଛୁଉଁଛି ତୁମ ଚରଣ

ଦେଉଅଛି ତୁମର ଦୁହାଇ ॥

ମୋର ଏ ଅର୍ଜ୍ଜିତ ପାପେ

ମୁହିଁ ଆଜି କଲବଲ, ଛଟପଟ

ଯନ୍ତ୍ରଣାର ତଇଳ କୁଣ୍ଡରେ

ମୁଁ ଜାଣେନା କେତେବେଳେ

ଶଙ୍ଖଚିଲ ଉ‍ଡ଼ୁଥିଲା ପୋଡ଼ା କପାଳରେ ।।

କେତେବେଳେ ଭୋଗୁଥିଲି ରାଜଭୋଗ

ଏବେ ଆଜି ଛନ୍ଦା ଛନ୍ଦି ବନ୍ଧା ବନ୍ଧି

ସ୍ନାୟୁର ଜାଲରେ

ରକ୍ତ ଆଉ ପୂଜର ନରକେ

ଘାଣ୍ଟିହୁଏ ମନପ୍ରାଣ ଅନ୍ତଃସ୍ଥଳୀ, ଶ୍ଵାସରୁଦ୍ଧ ହୁଏ

ପୂତି ଗନ୍ଧଭରା ଏଇ

ବହଳ ଅନ୍ଧାରେ ।।

ଭୋ ପ୍ରଭୁ, ଯୋଡ଼ୁଛି ହାତ

ଏଇଥର ମୋତେ କ୍ଷମାକର

ଏ କଷଣୁ ତ୍ରାହିକର

ପଡ଼ୁଛି ମୁଁ ତୋହର ପୟର

ଆହେ ଆଦିମୂଳ !

ଯେଉଁ ଆଡ଼େ ନିରେଖିଲେ ତୋର ଛବି

ବିରାଜ ତୁ କରିଅଛୁ

ମାଟି, ମେଘ, ଗଛ, ଲତା ଆଉ ଜଳ ସ୍ଥଳ ।।

Image

 

।। ସୂର୍ଯ୍ୟ ସ୍ନାନ ॥

 

କ୍ରମେ ସବୁ ଦୀର୍ଘଶ୍ଵାସ ଲମ୍ବାହୁଏ ଭାରି ଭାରି ପାହୁଲ ପକାଇ

ନିଃଶବ୍ଦ ଏ ଅନ୍ଧକାରେ

ଭରିଦେଇ ମୋ ରକ୍ତରେ ଯେତେ କଳା ଛାଇ

କ୍ରମେ ସବୁ ଦୀର୍ଘଶ୍ଵାସ ପୁନର୍ବାର ଲମ୍ବା ହୁଏ ।

ହାତଲେଖା ଚିଠି ଯିବ ସାତକୋଶ ନଈ ନାଳ ଡେଇଁ

ଡେଇଁ ପୁଣି ଅନାବନା ଝାଡ଼ର ଜଙ୍ଗଲ

ଏ ରାତିର ବାଇଶି ପାହାଚ ଚଢ଼ି ପୁଣି ପ୍ରଭୁଙ୍କର ଗମ୍ଭିରୀ ବେଢ଼ାକୁ

ଦେବାକୁ ସନ୍ଦେଶ କିଛି କହ୍ନାଇରେ ତୋ ଛନ୍ଦା ଚରଣେ ।

ଭଲ ଲାଗେ ପ୍ରଭୁ : ତୋର

ନିର୍ମାଲ୍ୟ ସନ୍ତକ ପାଇ ସମୁଦ୍ର ସଂଳାପ

ଭଲ ଲାଗେ ତୋ ପାଖରେ ଗାଇବାକୁ ପଦେ ଅଧେ ଆତ୍ମାର ଭଜନ

ତେଣୁ ମୁଁ ଲେଖିଲି ଚିଠି ମୋ ରକ୍ତରେ ଭିଜାଇ ଭିଜାଇ

ଏଇମାତ୍ର ମଧୁଗନ୍ଧା ନିଶୀଥର ଫିକା ପାହାନ୍ତାରେ ।

ଆଉ କିବା ବାକି କହ ଜୀବନର କେଉଁ ସତ୍ୟ ପାଇଁ

ମୁଇଁ ଏଠି ଘୂରୁଥିବି

ଘୂରୁଥିବି ଗୃହହୀନ ବେଦୁଇନ୍‍ ପରି

ତମେ’ତ ଶୁଣିଲ ନାଇଁ କେଉଁପରି ଇଚ୍ଛାସବୁ ବାଷ୍ପୀଭୂକ୍ତ ହୋଇ

ନିଃସହାୟ କରି ମୋତେ ଆକାଶରେ ବେଲୁନ୍‌ ସାଜିଲେ ।

କେତେକାଳ ଆଉ ପ୍ରଭୁ: ଛୁଇଁ ଛୁଇଁ ତୁମରି ଚରଣ

କରୁଥିବି ତୁମ ନାମ ଭଜନ ଓ ଗାଉଥିବି ତୁମର କୀର୍ତ୍ତନ

କେତେକାଳ ନିରିମାଖୀ ହୋଇଥିବି ମୁଇଁ ଏଠି ମନୁର ସନ୍ତାନ

କେତେକାଳ କହ କେତେକାଳ ?

ମୋ ରକ୍ତରେ ସୂର୍ଯ୍ୟର ଦାହିକାଶକ୍ତି

ମୁଇଁ ଯଦି ସୂର୍ଯ୍ୟର ପ୍ରତିଭୂ

ସୂର୍ଯ୍ୟ ଯଦି ପରମାତ୍ମା ଜାଳିବାକୁ ମୋ ଚେତନ ଆଲୋକର ବତୀ

ମୁଁ ନାଚିଲି ଖୁସିହୋଇ ଦିକି ଦିକି ଛୋଟ ତାରା ପରି

ପବନରେ ଥରି ଥରି ନାଚୁଥିଲା ଆତ୍ମାଦୀପ

ମୋ ଘରର ମାଟି ଠଣା ପରେ ।

ମୁଁ ଯଦିବା ଜାଣିଥିଲି ସୂର୍ଯ୍ୟଇ କେଇ ସତ୍ୟ ଯୌବନର

ଭରାନଦୀ କୂଳେ

ଯେଉଁଠାରେ ନଦୀର ଜଳକୁ ଦୁଇଭାଗ କରି

କୃଷ୍ଣଚୂଡ଼ା ରଙ୍ଗ ନେଇ ସୂର୍ଯ୍ୟ ଫୁଟେ ଚିର ବସନ୍ତରେ

ସେହିଠାରେ; ଯୌବନର ପ୍ରଗଣାରେ ମୁଁ କରୁଛି ସୂର୍ଯ୍ୟସ୍ନାନ

ନୀଳ ଝରଣାରେ ।

ତେଣୁ ପ୍ରଭୁ ଚକାଡୋଳା ! ବାଇଶି ପାହାଚ ଆଉ–

କହ୍ନାଇର ଛନ୍ଦା ଶ୍ରୀଚରଣ

ଗୋଠର ମୁରଲୀ ଧ୍ୱନି ବାଜି ବାଜି ଆପେ ଅକାରଣ

ବନ୍ଦ ହେଉ ବନ୍ଦ ହେଉ ସୂର୍ଯ୍ୟସ୍ନାତା ପୃଥିବୀର ଯେତେ ନୀଳ ମନ

ଖୋଜୁଥାଉ ଚିର ସତ୍ୟ

ସୂର୍ଯ୍ୟସମ ଶୋଭା ଅମଳିନ ।

Image

 

।। ସାରିଆ ।।

 

ସାରିଆ ଲୋ !

ତୋ କଥା ମୁଁ କୁହେ ଏଠି ମୋ ପିଲାମାନଙ୍କୁ

ତୁ କେମିତି ଥିଲୁ ଆଉ

ତୋର ନେତ ଗାଈ

ଓ ତୋର ସୋରଷିଆ କ୍ଷେତ,

ତୁ ଭାତ ରାନ୍ଧିଲା ବେଳେ

ଭଗିଆଟି ଦିଏ ଚୂଲୀ ଫୁଙ୍କି ।

ଏଟା’ ବି ନିଚ୍ଛୁକ ସତ

‘ସେନାପତି’ ବହିର ପୃଷ୍ଠାରୁ

ମୁଁ ପଢ଼ିଛି ତୋ’ କଥା, ଭଗିଆର କଥା

ନିରୀହ ସରଳ ଦୁଇ ମନେ କିଏ ଗରଳକୁ ଭରି

ଜମି ନେଲା, ନେତ ନେଲା

ଅବଶେଷେ ଦେଲା ବି ଧପ୍ପେଇ ।

ସାରିଆ ଲୋ !

ମାଇପି ମନର ଦକା ସାହାରଖି ‘ବୁଢ଼ୀମଙ୍ଗଳା’ରେ

ଜଳିବାର ଆଗୁ ତୁହି

ଲିଭି ଲିଭି ଗଲୁ

ଜଳି ପାରିଲୁନି

ତୋ ଆଖି ଆଗରେ ତୋର

ନେତ ଗଲା, ଜମି ଗଲା, ଭଗିଆ ବି ଗଲା

ସବୁ ଦେଖି ପାଗଳୀ ତୁ ଲୁହ ବୁହାଇଲୁ ।

ଆଜି ଥରେ ଜଳିବୁନି ସାରିଆ ତୁ !

ମୋର ସାନ କୁହା ମାନି ସୁନାଝିଅ ପରି

ତୋ’ ପରି ତିରିଲା ଲୋ

ଉମା, ଚେମୀ, ରୂପୀ, ଜେମି ନାନୀ

ଏମାନେ ଖୋଜନ୍ତି ତୋତେ

ତୁ ଅଛୁ ତାଙ୍କର ଭିତରେ ।

ଥରେ କଥା ମାନି

ଚେଇଁ ଉଠ ମୋ ସୁନାଟି

ସେମାନଙ୍କୁ ତୋ ସାଥୀରେ ନେଇ ।

ପଖାଳ ମୁଠାଏ ପାଇଁ ପେଟଟାରେ ଓଦାକନା ଦେଇ

କେତେ ତୁ ସହିବୁ ଆଉ,

ଏ ମାଟି ତ’ ତୋଅରି ନିଜର

ତୋ ଠାକୁର ଚକାଡୋଳା, ବଡ଼ ଦେଉଳର

ଭେଦାଭେଦ ନାଇଁ ଏଠି ତୋଅର, ମୋଅର,

ଯେଉଁ ଫୁଲ ଏ ମାଟିରେ–

ଫୁଟେ ସେ’ ତ ତୋଅରି ଓଠର ।

Image

 

॥ କୋରସ୍ ॥

 

ତା’ପରେ କ୍ରମଶଃ ସବୁ ଦେହସୁହା ହେଲା

ବର୍ଷାଋତୁ ତା’ ବାଟରେ ଗଲା

ଓ ଯେତେ ଯନ୍ତ୍ରଣା ସବୁ ଖରାଦିନ ମୁଣ୍ଡାଇ ମୁଣ୍ଡାଇ

ମୋତେ ଏଠି ପୁଣି ଦେଇଗଲା ।

ମୁଁ ପୁଣି ସହିଲି ସବୁ ଯେତେ କଷ୍ଟ

ଏ ଖରାରେ ସିଝି ସିଝି

ଯନ୍ତ୍ରଣାକୁ ଦେହସୁହା କରି

ମୋ ଦୀର୍ଘନିଶ୍ୱାସ ଯେତେ ବାଷ୍ପ ହୋଇ

ଶୂନ୍ୟରୁ ଶୂନ୍ୟକୁ

ଆକାଶେ ମିଶିଲା ।

ମୋର ଯେତେ ଲୁହସବୁ

ଅକାରଣ ଝରିପଡ଼ି

ମୋ ହାତକୁ ପାପୁଲିରେ

ଟିକି ଟିକି ଢେଉ ହୋଇ

ବେଦନାର ତ୍ରିଚ୍ଛକି ଜିଲ୍ଲାରେ ।

ମୋ ଚାରିପାଖରେ ଶୁଣେ

ବୁଢ଼ିଆଣୀ ଯେଉଁପରି ଖିଅ ଧରି ଧରି

ନିମଜ୍ଜିତ କଣ୍ଠର କୋରସ୍‍

ମୋର ଯେତେ ଚିତ୍ରକଳ୍ପ

ଶବ୍ଦ ଭେଦୀ ଯନ୍ତ୍ର

ସେ ସବୁକୁ ବାନ୍ଧି ରଖେ

ଘୁମନ୍ତ ମୋ ବଖରାରେ

ଏଠି ମୋତେ ଭଲଲାଗେ ଚୁପ୍‌ଚାପ୍‌

ଶୁଣିବାକୁ ସେ ସବୁ କୋରସ୍ ।

ଭଲ ଲାଗେ ଏ ଆକାଶ ଏଇ ଜହ୍ନ

ତଳେ ତା’ର ରୂପା ଫୁଲ

ଏଠିବି’ତ ଫୁଟେ

ଭଲ ଲାଗେ ମୋତେ ପୁଣି

ସମୁଦ୍ରର, ଶିପ ଆଉ ଶାମୁକାର

ଅନାବନା କଣ୍ଠର କୋରସ୍ ।

ମୋ ନିଭନ୍ତା ସ୍ୱପ୍ନ ଯେତେ ସଞ୍ଜୀବିତ ହୋଇ

ହସିଦିଏ ତୀର୍ଯ୍ୟକ୍ ଛାଇରେ

ଏବଂ ଏକ ହରଫରେ ଛପାହୁଏ ତା’ର ଇତିବୃତ୍ତି ।

ପୁନଶ୍ଚ ସେ ଫେରେ ପୁଣି

ଦେବଦାରୁ ସିଡ଼ି ଡେଇଁ କେଉଁ ଏକ ବେନାମୀ ପକ୍ଷୀର ଡେଣାରେ

ପୂର୍ଣ୍ଣକରି ମୋ ଘରର ସହସ୍ର ବଖରା

ଘୁମନ୍ତ ମୋ କ୍ଷତେ ତୋଳି ଉପକଥା ରୂପ ନଗରୀର

ଏଠି ସବୁ ଭଲ ଲାଗେ

ଭଲ ଲଗେ ଶୁଣିବାକୁ

ନିମଜ୍ଜିତ କଣ୍ଠର କୋରସ୍‌ ।

Image

 

।। ସଜ୍ଞା ।।

 

ସ୍ମୃତି ଯଦି ସ୍ୱପ୍ନ ହୁଏ

ସ୍ୱପ୍ନ ହୁଏ ଫୁଲର ପାହାଚ

ଯା’ ଉପରେ ପାଦ ରଖି

ତୋଳିହୁଏ ପ୍ରୀତିର କାଇଁଚ ।।

 

ସ୍ମୃତି ଯଦି ନଈ ହୁଏ

ପ୍ରୀତି ତେବେ ସେ ନଈର ମାଛ

ଚିକ୍‌ଚିକ୍‌ ମୀନାକରା ଢେଉ ତଳେ

ମମତାର ହର୍‌ରଙ୍ଗୀ ନାଚ ।।

 

କେବେ ଯଦି ସ୍ମୃତି ପୁଣି

ରୂପ ନିଏ ଥୁଣ୍ଟା ବରଗଛ

ତୁମେ ହୁଅ ସେ ଡାଳରେ ଶାରୀ

ଯା’ ପ୍ରୀତିର ମେଘ ଦେଖି

ନାଚେ ମୋର ମନର ମୟୂରୀ ॥

 

ସ୍ମୃତି ପ୍ରୀତି ସ୍ନେହ ଆଉ

ମମତାର କୂଳେ

ତୁମେ ହୁଅ କେବେ ଯଦି

ଚିକ୍‌ଚିକ୍‌ ବାଲି

ଅଚାନକ ତାତି ପାର

ମନର ତାପରେ

ଆଜି ଅବା କାଲି ॥

Image

 

।। କବିତା-ସମ୍ପର୍କରେ ।।

 

ମୋହରି ଏଇ ଶାନ୍ତ ମନେ

ନାଚିଲା କା’ର ଛବି

ଭୁଲିଲି ସିନା ତାହାରି ରୂପେ

ହୋଇଛି ଆଜି କବି ॥

ପ୍ରଣୟ ତା’ର ଦେଇଛି ମୋତେ

ବୈଦେହୀର ମନ

ତାହାରି ଲାଗି ଉଜାଡ଼ି ଦେଲି

ପରାଣ ତନୁ ମନ ।

ତାହାରି ପାଇଁ କବିତା ମୋର

ଗାଉଛି ନିତି ବିରହ ସୁର

ତାହାରି ପାଇଁ ବସିଛି ସିନା

କାବ୍ୟ ରଥେ ଆଜି

କେଉଁଠି ଆଗୋ ରହିଲ ଦୂରେ

ପଡ଼ ଗୋ ମନେ ଆଜି ॥

ଜୀବନ ଏଠି ବିତିଲା ମୋର

ବିତୁଛି ଯଉବନ

ତୋଳି ମୁଁ ଦେଲି ତାହାରି ପାଇଁ

କବିତା-ଫୁଲବନ ।।

ଫୁଲର ଏଇ ସଉରଭ ଗୋ

ମୋହରି ସେ’ତ ଗଉରବ ଗୋ

ସୁବାସ ଭରୁ ଦିଗ ବିଦିଗ

ପରାଣ ମନ-ଛୁଆଁ

ମନରେ ଆଣୁ ଚମକ ସେ’ ଗୋ

ଜୀବନ ପ୍ରତି ମାୟା ।।

Image

 

।। ସହର ।।

 

ଆକାଶରେ ତୋଫା ଜହ୍ନ ପବନରେ ଚନ୍ଦନ ସୁରଭି ।

ଓ ସମସ୍ତ ଚମ୍ପା ଫୁଲ ଏଠି କିଆ ଭିଡ଼ ବାନ୍ଧେ

ଗାଇ ଗାଇ ସନ୍ଧ୍ୟାର ଲିରିକ୍

ଏ ବିଚିତ୍ର ସହରରେ ଶୁଣାଯାଏ ପ୍ରତିଟି ପ୍ରାନ୍ତରେ

କେତେବେଳେ ଦ୍ୱିପ୍ରହରେ ପୁଣି କେବେ ଶ୍ରାବଣ ସଞ୍ଜରେ ।

ସହର ! ସହର ! ଏଠି ବହୁ ଲୋକ ବହୁ ମତବାଦ

ତରୁଣୀ ବି ବୃଦ୍ଧା ହୁଏ

ବୃଦ୍ଧା ହୁଏ ଅନିନ୍ଦ୍ୟ ରୂପସୀ

ତିନି ତୁଣ୍ଡେ ଛେଳିବି ପାଲଟି ପାରେ ବିଶ୍ୱସ୍ତ କୁକୁର

ହେ ପାଠକେ ! ଏ ସହରେ ମୁଁ ପଢ଼ୁଛି ନିର୍ମମ ପ୍ରହର ।

ଚଇତାଳି ବାଆବହେ, ବହେ ପୁଣି ହଜିଲା ସପନ

ଜହ୍ନ କି ନେଇ ସତ୍ୟ ହଜିଯାଏ ଫୁଲର ଫଗୁଣ

ଅପନ୍ତରା ମରୁଭୂମେ ସହି ସହି

ବାଲିଝଡ଼ ଦାଉ

ଦୁର୍ବାସମ ଯୁଗଜ୍ୟୋତି ଜଳୁଛି ମୁଁ

ଜଳିବାକୁ ହେବ କେତେ ଆଉ ?

ଆଲୋକିତା କରି କରି ନିଜ ରଶ୍ମି ଏ ସହର ପ୍ରାନ୍ତେ

ମୁଗ୍ଧ କଲି ଅଗଣିତ ପାଠକ ପାଠିକା

ମୋ କବିତା ଚାତୁରୀର ଲଳିତ ଛଇରେ

ମୁଁ ନିଜେ ହୋଇଲି ମୁଗ୍ଧା

ଏ ପ୍ରଖର ରୌଦ୍ର ମଧ୍ୟାହ୍ନରେ ।

ହରେକ୍ କିସମ୍ କଥା ଏ ସହରେ ଶୁଣାଯାଏ

‘ଏଭରେଡ଼ି ବ୍ୟାଟେରୀ’ର ବିଜ୍ଞାପନ ପରି

ହୋଇପାରେ ତାହା ଅତି ଚମତ୍କାର

ଅତୀବ ନୂତନ

ଏ ସହର ପ୍ରତିଭାକୁ ଅଚାନକ ମାରିପାରେ

ବେଳେ ବେଳେ କରୁଣାରେ ଦିଏ ଜୀବନ୍ୟାସ

ସହର ! ସହର ! ଏ’ତ ବିଚିତ୍ର ସହର ।

କିଏ କେବେ ଦେଖିଛ କି

ଏ ସହର କେଉଁପରି ରୂପ ବଦଳାଏ

କେବେ ପୁଣି ବହୁରଙ୍ଗୀ ଝିଲିମିଲି ଶାଢ଼ି ପିନ୍ଧି

ନିଜକୁ ସଜାଏ

ସହର ତା’ ନିଜ ରୂପ । ସହର ତା’ ନିଜର ଦର୍ପଣ ।

ବିଚିତ୍ର ମରାଳଗତି

ବହୁ ବର୍ଣ୍ଣ ବହୁ ସ୍ଵର ମେଳ ।

ସହର ପଚାରେ ପୁଣି ଜାଣିବାକୁ ମୋର ପରିଚୟ

ମୋ ଆତ୍ମାର ପ୍ରତିବିମ୍ବ

ମୁଇଁ ଏକ ନିଚ୍ଛକ ନିରୀହ

ସକାଳର ଅରୁଣିମା ଜ୍ୟୋତି ମୋର

ଦେହର ଭୂଷଣ

ହେ ସହର ! ମୁଁ ଦେଉଛି

ହର୍‌ରଙ୍ଗୀ ପ୍ରଶ୍ନର ଉତ୍ତର ।

ସମୟର ଘଟଣା ସାଥେ

ସହରରେ ରାତି ହୁଏ ଭୋର୍

ମୋ ଆଖିରେ ଭର୍ତ୍ତିକରି ବିସ୍ମୟର

କାବ୍ୟିକ ପ୍ରହର

ସହର କରିଛି ମୋତେ ନିମନ୍ତ୍ରଣ ଅତୀବ ଜରୁରୀ ।

ସେଥିପାଇଁ ବାରମ୍ବାର ପ୍ରସ୍ତୁତ ହେବାକୁ ହୁଏ

ଯନ୍ତ୍ରଣାର ଇଲାକାରେ

ନିର୍ମମ ପ୍ରହରେ ।

ତେଣୁ ହେଉ ଏ ସହର

ମୋର ପାଇଁ ଅନଳ ଚିତାର

ମୁଇଁ ଏକ ରାଜଧାନୀ ଶୁଦ୍ଧପୂତ–

ବୈଦେହୀ ମନର ।

Image

 

॥ ମାଗୁଣି ॥

 

ସମୟ ଫେରଇ ନାହିଁ ଶୂନ୍ୟତାର ଆକାଶକୁ ଛୁଇଁ

ଛୁଏଁ ନାହିଁ ବାଦଲ ଓ ଖେଳେ ନାହିଁ ପବନରେ ଦୋଳି

ହଲିହଲି-ସିଏ ଫେରେ ଦ୍ୱିପ୍ରହରେ ଶୂନ୍ୟ କୋଠରୀରେ ॥

ନିଃସଙ୍ଗ ଆତ୍ମାର ସ୍ୱର ଗୀତ ହୁଏ ତା’ ଓଠରେ

ଓ ଅତି ଉଲ୍ଲାସରେ;

ବେଗବାନ ଅଶ୍ୱସମ ଗତି କ୍ଷିପ୍ରକରି

ସତେ କି ପହଁରେ ସିଏ ବ୍ରାହ୍ମଣୀର ତୀର ଭୂଇଁ ଛୁଇଁ ॥

ମୁଁ ଆତଙ୍କେ ଫେରିଆସେ ସମୟର ଶୂନ୍ୟ ପରିଧିକୁ

ତା’ ଭିତରେ ମୋ ନିଜକୁ ଖୋଜେ ମୁଇଁ

ମୋର ଈର୍ଷାଭରା ମୁହଁ ବିବ୍ରତ ଓ ଘୃଣାରେ ଗମ୍ଭୀର

ଅଥଚ ଅନେକ ସ୍ୱପ୍ନ

କୂଳଛୁଇଁ ଫେରେ ବାରମ୍ବାର ।

ବୁଝିବାକୁ ଏତେଟିକେ ଚେଷ୍ଟା କେବେ କରିନାହିଁ

ସମୟ କିପରି ରାତି ରାତି ଉଜାଗର ରହି

ମୋତେ ଆଉ ମୋ ମାଆକୁ ପ୍ରବୋଧନା ଦେଇ

ନିଶ୍ଚୁପ ଭାବରେ

ଫେରିଗଲା ରାତି ପାହାନ୍ତାରେ ।

ଏଠି ଖାଲି ମାଳ ମାଳ ଧାନବିଲ ନିର୍ଜ୍ଜନ ପ୍ରାନ୍ତର

ତୁମକୁ ଖୋଜିବା ପରେ ପାଏନାହିଁ ଆଦିଅନ୍ତ ତା’ର

ମୋର ପ୍ରତିଧ୍ୱନି ଏଠି ଶବ୍ଦ ହୋଇ ଫେରେ ବାରମ୍ବାର

ମଧ୍ୟେ ତା’ର କାଚକେନ୍ଦୁ ଜଳର ଭଉଁରୀ

ମତେ କି କିମିଆଁ କରେ ଶୂନ୍ୟମନ ଶୂନ୍ୟତରୀ ବାହି ।।

ମୁଇଁ ଉଡ଼ି ଚାଲିଥିବି ଖୋଜିବାରେ ନୂଆମନ ନେଇ

ଅକାରଣ ନିଜକୁ ଜାଳିବି ନାହିଁ

ଦୁଇଓଠ ଫାଙ୍କେ ଫାଙ୍କେ ସିଗାରେଟ୍‌ ଜଳିଗଲା ପରି

ଉଡ଼ୁଥିବି, ଖୋଜୁଥିବି ପୁଣି ନିତି ଛୁଇଁ ଯାଉଥିବି ।।

ନିତି ମନ ପକାଇବି ତୁମକୁ ଓ ଶୀତର ସନ୍ଧ୍ୟାକୁ

ନିତି ମନେ ପକାଇବି ତୁମଠାରୁ ତୁମର ସ୍ମୃତିକୁ

ଯେଉଁପରି ସମୁଦ୍ର ଜଳଇ ଏଠି ଶୀତ ସନ୍ଧ୍ୟା ହୋଇଗଲେ ପାରି

ଘୋଡ଼ି ହୋଇ ରାତି ଆସେ ଗଛ ଡାଳେ ଓହଳି ଓହଳି

ସେତେବେଳେ ଈଶ୍ୱରଙ୍କୁ ଡାକୁଥିବି

ଆରତରେ ଦୁଇହାତ ଯୋଡ଼ି

ମୁକ୍ତି ଦିଅ ପାରକର ଏଇ ଭବ ସଂସାରର ତରୀ ।

Image

 

॥ କଟକ ଏକ ବିଶ୍ଳେଷଣ ॥

 

ସ୍ଵପ୍ନ ଦେଖି ଚମକିଲେ ଚମକଇ ମନର ଆଇନା

ମନେହୁଏ ସ୍ଵପ୍ନ ସତେ ଦେଖିଥିବା କେଉଁ ଏକ ସୁକେଶୀ ଲଳନା ।

ଯାହାର ନିଃଶବ୍ଦ ଗତି ଧୀର ପଦପାତେ

ଆଗକୁ ବଢ଼ାଏ ପାଦ–ରାତି ହେଲେ

କପାଳର ସ୍ୱେଦ ପୋଛି ଶାଢ଼ିର ପଣତେ ।

ଘରଠାରୁ ବହୁ ଦୂର

କଟକଠୁ ସହର ତଳିରେ

ଲାଗେ ନାହିଁ ଭଲ ଜମା ଏଠି ଏକା ଏକା

ସ୍ଵପ୍ନ ମୋର ପରାସ୍ତ ନାୟିକା ।

କଟକରେ ସ୍ୱପ୍ନ ଥିଲା, ଫୁଲଥିଲା ।

ଆଉ ଥିଲା ଫୁଲର ମହକ

କଟକ ମୋ ତୀର୍ଥଭୂଇଁ ଅନାବନା ମନର ଦ୍ୟୋତକ ।

ଏହା ସତ୍ତ୍ୱେ ଭୁଲିବାକୁ ହୁଏ କଟକକୁ ଓ ମୋର ସଞ୍ଚିତ ସ୍ଵପ୍ନକୁ

କଟକରେ ସନ୍ଧ୍ୟା ଆସେ ଚୁଆ ଆଉ ଚନ୍ଦନ ବାସ୍ନାରେ

ସ୍ୱପ୍ନ ମଧ୍ୟ ଧୀରେ ଆସେ

ତାରାଙ୍କର କଥାକୁହା ନେଳିଆ ଆଖିରେ

ତା’ ସାଥେ ବସନ୍ତ ଆସେ ଲାଜକୁଳୀ ଗତିପରି

ଚୁପ୍‍ ଚାପ୍‍ ବିରାଡ଼ିର ନିଖୋଜ ଗତିରେ ।

ସବୁ ସତ୍ତ୍ୱେ ମନେପଡ଼େ ବାପା ଆଉ ବୋଉଙ୍କର ସ୍ନେହ ।

କାହାର ଅମାପ କଥା

ଚିହ୍ନା ଚିହ୍ନା ହଜିଥିବା ମୁହଁ

ଦୁରନ୍ତ ଏ ସହର ତଳିରେ ଖପରଲି ଘରେ ।

ରବିବାର ଦ୍ୱିପ୍ରହରେ ଅବା, ଛୁଟିଦିନ ମାନଙ୍କରେ

ସ୍ଵପ୍ନ ହୁଏ ଦୁରନ୍ତ କଟକ ।

ଲାଗେ ନାଇଁ ଭଲ ଜମା ଏଠି ଏକା ଏକା

ସ୍ଵପ୍ନ ମୋର ପରାସ୍ତ ନାୟିକା ।

Image

 

॥ ଯାତ୍ରା ॥

 

ଇଏତ ଆରମ୍ଭ ମାତ୍ର ବାଟ ବୋଧେ ଆହୁରି ଅନେକ

କ୍ଳାନ୍ତି ଓ ଶୋଷର ଜ୍ୱାଳା ଅନାହୂତ ଗଡ଼ାଣି ରାସ୍ତାରେ

ବୋଉ ପାଇଁ ନିର୍ମାଲ୍ୟ କଣିକାଟିଏ ମୋ ହାତ ବ୍ୟାଗରେ

ସାଇତି ରଖିଚି ସିନା, ମରିଆସେ ମନର ଯମକ ।

ବାଟତ’ ଅନେକ ଦୂର ଇଏ ବୋଧେ ମଧ୍ୟମ ପର୍ଯ୍ୟାୟ

ହାରିକେନ୍ ଶିଖାପରି ଲାଇଟ୍‌ ପୋଷ୍ଟ ମିଞ୍ଜି ମିଞ୍ଜି କରେ

ବୋଉ ବୋଧେ ବାରମ୍ବାର ଚାହୁଁଥିବ ନାଲି ସଡ଼କକୁ

‘ଏ ଯାଏ ଆସିନି’ ବୋଲି ବାପାବି’ତ ବ୍ୟସ୍ତ ହେଉଥ‌ିବେ

ଘଣ୍ଟାରେ ବାଜିଚି ମୋଟେ ସାଢ଼େ ଆଠ, କେମିତିକା ଅଳସ ଲାଗୁଛି

ଦେହ ଓ ମନରେ କ୍ଳାନ୍ତି ଛାଇ ଛାଇ ନିଦ ଘେରିଯାଏ

ଏ ରାସ୍ତା ସରିବ କେବେ ? ଏ ପଥରେ ମୁଇଁ ତ ନୂତନ

ବାରମ୍ବାର ଘଣ୍ଟା ଦେଖେ ବୋଧେ ସରି ଆସିଲାଣି ।

Image

 

।। ଭିନ୍ନ ପଥ ।।

 

ଅନେକ ଭାବିବା ପରେ ଠିକ୍‌କଲି କିଛିଟା ଖୋଜିବି

ମନେହୁଏ ହଜାଇଲି ପୃଥିବୀର ସେପାରିରେ ଅତିପ୍ରିୟ ପଦାର୍ଥ ମୋହର

ଜହ୍ନବି ଅନେକବେଳୁ ଲୁଚିଲାଣି ମୁହଁ ଛପା ଦେଇ

ମଉଳା ତିଥିରେ ଆଉ ବାଟ ଘାଟ

ଚିହ୍ନି ହୁଏ ନାହିଁ........

ଯଦିଓ ଖୋଜିଲି ମୁହିଁ

ତୁମକୁ ଓ ସାଙ୍ଗ ସାଥୀମାନେ

ହସିଦେଇ ଚାଲିଗଲେ ଭସାମେଘ ରଙ୍ଗ ବଦଳାଇ

ଗହଳିଆ ଝାଉଁବଣ

କଥାବାର୍ତ୍ତା, ଅଭିମାନ, ଚୁପ୍‌ଚାପ୍‌ ସ୍ପଷ୍ଟ ମନେହୁଏ

ଲହରୀ କହିଲା ଡାକି, ଶୁଣିଲଣି ?

ବସନ୍ତଟା କାଲି ଆସିଥିଲା

ଅନେକ ଖୋଜିବା ପରେ ଗତିପଥ

ବଦଳାଇ ନିର୍ବିକାରେ ସିଏ ଚାଲିଗଲା ।

ମୁଉଁ ଟିକେ ହସିଦେଲି ଫିକ୍‌କରି

ହସିବା ବି ନିହାତି ଦର୍କାର

ଝର୍କା ସବୁ ବନ୍ଦକଲି, କୋଠରୀରେ ବରଫର ଝଡ଼

ବାହାରେ ନାଚୁଛି ବର୍ଷା

ଅଲାଜୁକୀ ଅଭିଆଡ଼ୀ ଝିଅଟିଏ ପରି

କୁନି କୁନି ପାଦ ତା’ର ନାଚି ନାଚି କ୍ଳାନ୍ତ ବି’ ହେଲାଣି ।

ଅସ୍ତର କାରୁଣ୍ୟ ଶୁଭେ ଶସ୍ତା ଏକ ବିଜ୍ଞାପନ ସଙ୍ଗୀତ ଯେମିତି

ଏତେବେଳେ, ଜମାହୁଏ ପ୍ରଚ୍ଛନ୍ନ ଓ ସଂଶୟର

ଯେତେ ସବୁ ପ୍ରଶ୍ନର କୁହୁଡ଼ି

ଗୋଟି ଗୋଟି ଧାଡ଼ି ବାନ୍ଧି କିଉପରି ପରିଚିତ କେଉଁଏକ

ସିନେମା ହଲରେ ।

ଯେତେସବୁ ନୀତିବାଣୀ, ଗୀତା ଆଉ ଭାଗବତ, ହରିବଂଶ ପୋଥି

ମେଘର ମଲ୍ଲାର ତୋଳି ବାସ୍ତବର ଫେନପୁଞ୍ଜେ

ସବୁ ହଜିଗଲେ

କେତେ ମୁଁ ଖୋଜିଲି ସତେ ସାତତାଳ ପୋଖରୀ ପଙ୍କରେ

ବୁଡ଼ି ବୁଡ଼ି ଦେହ ହାତ କର୍ଦ୍ଦମାକ୍ତ କରି

ଥରେ ନୁହେଁ ବହୁବାର ଲମ୍ଫ ଦେଇ ପାଇଲି ମୁଁ ରୂପାର ଫରୁଆ

କିଏ ବା କାହାର ଆଉ

କଥାରେ କଥାରେ ଯଦି କିଣା ବିକା ହେଇ ପାରୁଥାନ୍ତା

ଭିନ୍ନମୁଖୀ ଗତିପଥ ବହୁମୁଖୀ ମାଇଲଖୁଣ୍ଟରେ

ତେଣୁ ଆଜି ପେନ୍ଥା ପେନ୍ଥା ହେନାର ସ୍ତବକ

ସଚଞ୍ଚଳ ମନତଳୁ ଡାକିଲେଣି

ଚମ୍ପା, ମଲ୍ଲୀ, ମୁଚୁକୁନ୍ଦ ଆଉ କେତେଫୁଲ ।

Image

 

॥ ଉତ୍ତର ॥

 

ଏମନ୍ତ ସମୟେ ତୁମ

ଆସିବାଟା ଅନୁଚିତ ଥିଲା

ଯନ୍ତ୍ରଣାରୁ ମୁକ୍ତିପାଇଁ

ନୀଳଲୁହେ ସୂର୍ଯ୍ୟସ୍ନାନ ସାରି

ବାହୁଡ଼ିବା ବେଳେ

ଏମନ୍ତ ସମୟେ ତୁମ ବାଟ ବନ୍ଦ କରିବାଟା

ନିହାତ୍‍ ଅନୁଚିତ୍‍ ଥିଲା ।

ମଝି ବାଟଟାରେ ମୋତେ ଠିଆକରି

ପ୍ରଶ୍ନ ପଚାରିବା

କେମନ୍ତ ଭଦ୍ରାମୀ ସତ୍ତ୍ୱେ

ଏବଂ ମୋର ଅନ୍ତର୍ଦାହ ସତ୍ତ୍ୱେ,

ତମର ସମସ୍ତ ଦୁର୍ବଳତା

ହୋଇପାରେ ଅନ୍ୟତମ କାରଣ ଏହାର ।

ବାଟ ଛାଡ଼ ପାଣି ପାଇଁ

ଯିବି ମୁଇଁ କଜ୍ଜଳ ଦୀଘିକୁ

ଶାଶୁ ନଣନ୍ଦର ଘର

ତମେ କାହୁଁ ସେ କଥା’ ବୁଝିବ

ପଚାରିଛ–ନକହିଲେ ବାଟ ଛାଡ଼ିବନି

ତୁମକୁ ଉତ୍ତର କ’ଣ ନୂଆବର୍ଷ !?!

ଫୁଲର ମୁକୁଟ ନାଇ

ହାତୀ ଚଢ଼ି, ଘୋଡ଼ାଚଢ଼ି ପାନିକିରେ ଆସ ।

Image

 

।। ଭିନ୍ନ ମୁହୂର୍ତ୍ତର ସ୍ୱର ।।

 

ଏଣିକି କାନ୍ଦିବ ନାହିଁ ଟିକି ଟିକି ଆଖିର ଶାମୁକା

ଶୋଇପଡ଼ ଶୋଇପଡ଼

ସମୟ ବି ନାନାବାୟା ଗୀତ ଗାଏ

ହାତୀ ଦେବି ଘୋଡ଼ା ଦେବି ଝୁଲା ଦେବି ଇତ୍ୟାଦି ଇତ୍ୟାଦି.......

ଶୂନ୍ୟ ଏଇ ବିଛଣାରେ ସେ ସକଳ ସ୍ୱର ହଜେ;

ଭାଙ୍ଗିପଡ଼େ ଭାଙ୍ଗିପଡ଼େ ଇତସ୍ତତଃ ବିକ୍ଷିପ୍ତ ଭାବନା

ମୁଁ କିଆଁ ଆସିଲି ସତେ ଏତେବାଟ ପଛରେ ପକାଇ

ଚମକୁଛି ବାରମ୍ବାର କାହା ପାଦଶବ୍ଦ ଶୁଭେ,

ବହିଯାଏ କା’ ଆଖିର ନଈ ।

ପୁନଶ୍ଚ ସେ ସ୍ୱର ଶୁଭେ ପରିଚିତ ଦ୍ରାବିଡ଼ ଅନ୍ଧାରେ

ତା’ ପଛେ ଗୋଡ଼ାଇଗଲେ ସିଏ ଲୁଚେ ନିଃଶବ୍ଦରେ

ଯେହେତୁ ସେ ଅନ୍ଧକାରେ

ସ୍ଥିତି ତା’ର ଚମତ୍କାର ଜାହିର କରିଛି ।

ଅକାରଣେ ଏଣେ ତେଣେ ଧାଇଁ ଧାଇଁ କ୍ଳାନ୍ତ ହୁଏ

ଚୁପ୍‌ଚାପ୍ ପୁଣି ଫେରିଆସେ ।

ଖିଲି ଖିଲି ପବନରେ କା’ ହସର ଢେଉ ଉଠେ

କା’ ଓଠର ସରୁ ସରୁ କଥା.............

ଆଜି କିଆଁ ମତେ ଏତେ ବିଚଳିତ କରେ

ନିଜକୁ ମୁଁ ଅଣ୍ଡାଳିଲେ ସ୍ମୃତିର ଶ୍ରାବଣେ

ସନ୍ତର୍ପଣେ କାହା ଛାଇ ଠିଆହୁଏ

ସେଇ ମୁହଁ ପୁଣି ଦିଶିଯାଏ ।

ଶୂନ୍ୟ ଏଇ ଅନ୍ଧାରରେ

ସେ ସକଳ ସ୍ଵର ହାୟ ! ଫେରଆସି

ମତେ କିଆଁ ଜାବୁଡ଼ି ଧରନ୍ତି ।

Image

 

।। ପ୍ରଭୁ ପାଇଁ ।।

 

ପାଦ ସବୁ ଥମିଗଲା ପରେ

ମନେହୁଏ ପ୍ରଭୁ ତମେ ପାଖେ ପାଖେ ଥାଇ

ହାତ ଧରି ଉଠାଉଛ,

ଏବଂ ଇସାର ଦେଉଛ,

ଚାଲିବାକୁ କଣ୍ଟାର ମୁକୁଟ ପିନ୍ଧି–

ଡହ ଡହ ସମୁଦ୍ର ବାଲିରେ ।

କାକୁସ୍ତରେ ହାତଯୋଡ଼ି

ଆଞ୍ଜୁଳାଏ ତମରି ସେ ଶରଧାବାଲିରୁ–

ଉଠୁଥିବା ଧୂଳିର ଝଡ଼କୁ ମାଖି

କୁହ ପ୍ରଭୁ !

ମରୁଯାତ୍ରୀ କେତେ ମୁଁ ଚାଲିବି

ବେଦନାର କେଉଁସୁରେ କି ଗୀତ ଗାଇବି? ?

ସବୁତ ସ୍ତିମିତ ଆଜି

କି ଆକୁଳ ଆବେଗରେ

କାନ୍ଦ କାନ୍ଦ ଥମ୍ ଥମ୍ ମୁହଁ,

ଚ୍ଛିନ୍ନ ଭିନ୍ନ ମୋର ରଥଚକ୍ର

ପାଦର ଘୋଷରା ଚିହ୍ନ–

ଝାଉଁ ବଣ, ସମୁଦ୍ର ବାଲିରେ

ଇତସ୍ତତଃ ଏଠି ସେଠି ପଡ଼େ ।

ଏବଂ ମୋତେ ତମ ଇଲାକାରୁ

ଫେରାଇ ନେବାକୁ ବହୁ ବାଧ୍ୟକରେ

ମୁହଁ ମୋଡ଼ି, ପଛଘୁଞ୍ଚା ଦେଇ,

ଯେହେତୁ ମୋ ଅଭିମାନ

ତମରି ସେ ଚକାଆଖି ପରେ

ପୁଞ୍ଜୀଭୂତ ହୋଇ

ଏକାକାର ହୁଏ ।

Image

 

।। କିଞ୍ଚିତ୍‌ ॥

 

ଏଠି ବି ବସନ୍ତ ନିଆଁ ଚାରିଆଡ଼େ

ଆତ୍ମାଙ୍କ ଚିତ୍କାର

ଓଃ କେମିତି ମୁଁ ବଞ୍ଚିବି କୁହଭଲା ! ପୃଥିବୀ ଜଳୁଛି

ଟେଲିଗ୍ରାଫ୍ ତାରପରି ଲମ୍ବି ଲମ୍ବି

ଦ୍ୱିପ୍ରହର ଜଳନ୍ତା ନିଆଁରେ ।

ଯଦିଓ ବା ଜଳିବାରେ ଅନେକ ମହକ

ତଥାପି ତ’ ଯନ୍ତ୍ରଣା ଅନେକ

କେବେ କ’ଣ ତଉଲିଛ ମହକ ଓ ଯନ୍ତ୍ରଣାକୁ;

ଜୀବନ ଓ ମୃତ୍ୟୁକୁ ? ?

ମୁଉଁ ତାକୁ ଦେଖିଥିଲି ସମୁଦ୍ରର ବାଲିବନ୍ତ ପରେ

ମଥା ପିଟି କାନ୍ଦୁଥିଲା

ଫୁଲି ଫୁଲି ବୁକୁ ତା’ ଫଟାଇ

ଝାଉଁର ବଣରେ ଅବା

ଲୁଚି ଲୁଚି ଝଡ଼ର ସୁଅରେ:

ଯେଉଁଠି ଅନେକ ଭିଡ଼ ଆଉ ବେଶି ଚିତ୍ରର ସପନ

ସେ ଯଦି ବୁଝନ୍ତା ଟିକେ

ଲୁହ ପୋଛି ହାତ ପାପୁଲିରେ

ପାରଦ ଖରାର ତାତି ବର୍ଣ୍ଣହୀନ ଏଇ ଚଟାଣରେ

ରାତିଠୁ ଆହୁରି ଲମ୍ବା

ଅଜଗର ନିଦ ମୋ ଆଖିରେ

ତେବେ ବା ଫେରନ୍ତା ସିନା

ଅନ୍ଧାରରୁ ଆଲୋକକୁ,

ପୃଥିବୀରୁ ସ୍ଵର୍ଗର ଧାମକୁ ।

Image

 

।। ଅପରାହ୍ନ ପରାସ୍ତ ମୁହୂର୍ତ୍ତର ।।

 

ଫିଟିପଡ଼େ ଫିଟିପଡ଼େ

ଗହଳିଆ ଚୂଡ଼ା ମୋର

ଓ ଲେଭନୀୟ ହସ ସବୁ

କେରି କେରି ଖସେ ।

ଭିଡ଼କାଟି–

ଏ ରାସ୍ତାର ଛକ ପାରିହେଇ

ତମେ ଆସ

ଏବଂ କଫିର ଆସର ତଳେ

ବେଶ୍‌ କିଛି ଜମେ ଏଠି

ବାରମଜା ଗପ ।

ଛୁଟିଦିନ । ଦିନଗୁଡ଼ା ଢେର ଲମ୍ବା

ଓ ମୋର ସାଥି

ମୋ କୋଠରୀର ଶୂନ୍ୟତା ଓ ମୁଁ

ଏବଂ ତମର ସେ କଥା ଯେତେ

ଏଠି ସବୁ

ମୋ ଛାତିରେ ଶର ହେଇ ଫୁଟେ ।

ମାଲୁଣୀ ଦିଏନା ଫୁଲ

ସାଜିବାକୁ ଗଭା ମୋର

ଖଞ୍ଜିବାକୁ ତଥିପରେ

ଗୋଟି ଗୋଟି କନକ ଚମ୍ପା, ମହୁଲର ଝୁମ୍ପା ।

କେତକୀର ତୋଡ଼ାରେ ସେ

ଚିଠି ଆଉ ଆଣେ ନାଇଁ

ବୋଧହୁଏ ଫେରିଯାଏ

ବାଟ ଭୁଲିଯାଇ

ତା’ପରେ ପୁନଶ୍ଚ ଶୂନ୍ୟତା

ମୋ କୋଠରୀର, ଅପରାହ୍ନର

ଓ ମୋର ।

ଏମିତି ଜଳିବାଠାରୁ ଅହରହ

କାନ୍ଦିବାକୁ ହୁଏ ବୋଲି ସମୟର ପାଇଁ

ବରଂ ଖୁବ୍ ଭଲ ହେବ

ଯଦି ହୋଇପାରେ

ଶୂନ୍ୟତା, ଅପରାହ୍ନ ଓ ମୋର ମୃତ୍ୟୁ ।

Image

 

।। ତୁମକୁ ପ୍ରଶ୍ନଟିଏ ॥

 

କେଉଁ ଅଭିଶାପ ଫଳେ ଲୁହ ଝରେ

ପ୍ରୀତିଝରା ଚପଳ ଆଖିରୁ

କେଉଁ ଦୁଃଖେ ପ୍ରଭୁ ମୋତେ ଅହରହ ଜାଳିଦିଅ ।

ଇଚ୍ଛା କରି ଫିଙ୍ଗିଦିଅ

ସର୍ବଂସହା ଧରିତ୍ରୀ ବୁକୁର ।

ମୁଁ କି ପ୍ରଭୁ !

ସୀତା ସମ ମଥାକୋଡ଼ି କାନ୍ଦୁଥିବି

କାନ୍ଦୁଥିବି କେତେଦୂର ଅଯୋଧ୍ୟା ନଗର ?

ମୁଁ କି ପ୍ରଭୁ ଅଭାଗିନୀ

ସେବିବାକୁ କାନ୍ତପଦ

କେଉଁଠାରେ ମୋର ପ୍ରିୟ ଲକ୍ଷ୍ମଣ ଦେବର ।

ନିଘଞ୍ଚ ଅରଣ୍ୟ ଏ ଯେ ଭୀତି ଜାଗେ

ସାହା ରାହା କେହି ନାହିଁ ମୋର

ବାରମ୍ବାର ଖୋଜିବସେ ମୋର ଯେତେ ଅର୍ନ୍ତଦାହ, ଭିଜାମନ

ଫୁଲବନ ଆଉ ପୁଣି ଚଇତାଳି ମଧୁଝର

ଜାଣେନା ମୁଁ କେଉଁପରି

ଅଜାଣତେ ଗଢ଼ିଦେଲି ଲୁହର ନଅର ।

ଏ ନଅରେ ବନ୍ଦୀ ମୁହିଁ ଚତୁର୍ଦ୍ଦିଗେ ଅଶୋକର ବନ

ଲୁହ ପୁଣି ଘନ ହୁଏ

ଆହା ପ୍ରଭୁ ! ଏଇ ମୋ ଜୀବନ

ଅନେକ ନିର୍ଦ୍ଦୟ ହେଲ ନିରୀହା ନାରୀରେ ପ୍ରଭୁ !

ଜାଣେନା ମୁଁ କେଉଁ ଦୋଷ କଲି

ସେଥ‌ିପାଇଁ ଲଳିତ ପଦରେ ମୋର ଅନୁକ୍ଷଣ ବ୍ୟଥା ଜାଗେ

ମାଡ଼ିଆସେ ଅନେକ ଦୁର୍ଦ୍ଦିନ ।

କନକର ରଥେ ଆଉ ବିଜୟର ନେତ କହେ

ଉଡ଼ିବନି ଫରଫର ହୋଇ

ବଞ୍ଚିବାର ମହୁଆ ନିଶାରେ

ପ୍ରୀତିଝରା କପୋତୀ ଚିଠିରେ

ମୁଁ କି ସତେ ଲେଖିବିନି ଫଗୁଣରେ ବନ୍ଦନା

ଗାଇବିନି ବିଜୟର ବୈଜୟନ୍ତୀ ସ୍ମୃତି

କୁହ ପ୍ରଭୁ ? ସଂଗୋପନେ ପଚାରେ ମୁଁ–

ତମକୁ ମୋ ପ୍ରଶ୍ନ ଏଇ ମୋର

ଏକାନ୍ତ ମୁଁ ଅସହାୟ

ନଅରର ଚତୁର୍ଦ୍ଦିଗେ ଭିଡ଼ ବାନ୍ଧି ଅନେକଙ୍କର ।

Image

 

।। ନିଷ୍ଠୁର ପୃଥିବୀ ।।

 

ହେ ମୋର ନିଷ୍ଠୁର ପୃଥ୍ୱୀ ଦହମାନ ଚୈତ୍ର

ଆଉ ବସନ୍ତ କି ଜ୍ୱାଳା

ସହି ସହି ଅନାଗତ କ୍ଷୟିଷ୍ଣୁ ପ୍ରତୀକ୍ଷା

ତମେ ସବୁ କାନ୍ଦ ଏଠି ଉତ୍ତରଳ ସ୍ୱରର ଲହରେ

ଫୁଲ ହୋଇ ଗଛଙ୍କର ସବୁଜ ଡାଳରେ । .

ଏ ପୃଥିବୀ ଗୀତଗାଏ ନିଝୁମ ଖରାରେ

କେବେ ବା କରୁଣ ସୁରେ କେବେ ଅବା ରୌଦ୍ର ମଧ୍ୟାହ୍ନରେ

ଏ ଡାଳରୁ ସେ ଡାଳକୁ

ଡେଇଁ ଡେଇଁ ଫୁଲ ଆଉ

ପତ୍ରଙ୍କର ମେଳେ ।

ପୃଥିବୀର ଏ ଇଲାକା ବଡ଼ଇ ଦାରୁଣ

କେତେବେଳେ ହସ ଝରେ

କେତେବେଳେ ହୁଅଇ କରୁଣ

ସୂର୍ଯ୍ୟର ଲୋହିତ ଜ୍ୟୋତି ଝରି ପୁଣି ଏଠି ଝରେ ନାହିଁ

ଏ ପୃଥିବୀ ରାଜପଥ

ଅବେଳରେ ପଡ଼େ ବି ଘୁମାଇ

ଚାଇଁ ଚାଇଁ ଖରା ମାରେ, ପିଚୁ ତାତେ

ସ୍ୱପ୍ନ ସବୁ ଅଚାନକ ଝଡ଼େ

ଉତ୍ତପ୍ତ ରେଣୁର ଘୂର୍ଣ୍ଣି ଘୂରିବୁଲେ

ବିଷୁବର କୁମାରୀ ରେଖାରୁ

ଧୂ ଧୂ ନିଆଁଜଳେ ଶୂନଶାନ୍

କାନ୍ତାର ଓ ନଗ୍ର ଜନପଦ

ଚିହ୍ନାକି ଅଚିହ୍ନା ଲୋକ ଏତେବେଳେ ଗୋଟିଏବି

ଦେଖା ମିଳେ ନାହିଁ ।

 

ଏ ପୃଥିବୀ ବେଦନାର ଟଫିଦିଏ ଯନ୍ତ୍ରଣାର ନିଆଁରେ ଆଉଟି

ଜ୍ୱାଳାମୟ ଯନ୍ତ୍ରଣାରେ ଜଳିଜଳି ସତ୍ତା ମୋର ଲୀନ ହୁଏ

ଏବଂ ମୋର କ୍ରୋଧସବୁ ଉତ୍ତପ୍ତ ଲାଭାର ପରି

ଜୀର୍ଣ୍ଣକରି ହୃଦୟକୁ ଆତ୍ମାକୁ ମୋହର

ନିଃଶବ୍ଦେ ଉଛୁଳି ପଡ଼େ

ଆଖିପତା ପୁନର୍ବାର ବୁଜେ

ଦୁଇକନ୍ଧ ଦେଇ ମୋର ଝୁଲିପଡ଼େ

ନୂତନ ଜ୍ୱାଳାର ମାଳା; ଯନ୍ତ୍ରଣାର ପରିସମାପ୍ତିରେ

ମୋ ମାଆର ଗେହ୍ଲାଝିଅ ଯାଉ ଯାଉ ଝୁଣ୍ଟି ମୁଁ ପଡ଼ିଛି

ଉପରେ ପ୍ରଚଣ୍ଡ ଖରା ତଳେ ମୋର ବସୁମତୀ ମାଆ

ତ୍ରିଶଙ୍କୁ ମୁଁ ଅର୍ଦ୍ଧ ପଥେ

ବହୁପଥ ଅତିକ୍ରମ କରି

ମାଗୁଛି ମୁଁ କେତେ ବାଟ

ମୋ ମାଆର କୋଳ ଆଉ

କେତେବାଟ ନିଷ୍ଠୁର ପୃଥିବୀ ।

Image

 

।। ପାଦ ।।

 

ମୋର ଦୁଇ ଲକ୍ଷ୍ମୀପାଦ ସନ୍ତର୍ପଣେ ଫେରିଆସେ

କାହାର ସେ ଚୌଡ଼ା ବାରଣ୍ଡାରୁ

ଝୋଟିରେ ପକାଇ ଫୁଲ ପାଦଗଣି ଧୀରେ ଫେରିଆସେ ।

ଫେରିଆସେ ସଂଗୋପନେ ସବୁଜ ଅରଣ୍ୟ ଡେଇଁ

ଡେଇଁ ପୁଣି କାହାର ସେ ନିଜସ୍ୱ ଇଲାକା

ମୋ ଚାଲିବା ବନ୍ଦହୁଏ

ମୁଁ ପାଲଟେ ମୂକ ଓ ଅଥର୍ବ

କାନଡେରି ଧୀରେ ଶୁଣେ

ପବନର ଚାପା ଚାପା ଡାକ ।

କ୍ରମଶଃ ଏ ଅରଣ୍ୟରେ ନିଆଁ ଲାଗେ

ପୋଖରୀରେ ଲୁହସବୁ ସୁନାର ପଦୁଅଁ ହୋଇ

ଗୋଟି ଗୋଟି ଫୁଟେ

ଏବଂ ପରିଚିତ ମୋର ଦୁଇହାତ ବଢ଼ାଇଲେ

ଏତେ ସବୁ କାନ୍ଦଣାର ସ୍ୱର ଆସି

ପଥରୋଧ କରି

ଶୂନଶାନ୍ ନିଛାଟିଆ ଖରାବେଳଟାରେ

ଦୁଇହାତ ମେଲାକରି

ମୋ ତଣ୍ଟି ଚିପନ୍ତି ।

କେଉଁଠାରେ ଏତେବେଳେ ପାଦ ମୁଁ ରଖିବି ?

ଯନ୍ତ୍ରଣାକାତର ଏଇ ଅସହାୟ ମନ ନେଇ

ମୁଁ ଖୋଜୁଛି ଇଞ୍ଚେ ଜାଗା

ନିମ୍ନେ ଓ ଊର୍ଦ୍ଧ୍ୱରେ

ଏତେବେଳେ ମୋ ଅନନ୍ୟସତ୍ତା–

ଓ ତା’ର କାନ୍ଦ କାନ୍ଦ ମୁହଁ

ମୋ ସାମ୍ନାରେ ଠିଆହୁଏ

ଦର୍ପଣର ପ୍ରତିଛବି ପରି

ମୁଁ ଚାଲିବି ଅବା ତାକୁ

ମୋ ପଛରେ ଆସିବାକୁ ଇସାର କରିବି

ପାରେନା ମୁଁ କିଛି ସ୍ଥିର କରି

କ୍ଳାନ୍ତ ମୋର ପାଦ ଦୁଇ

ଫେରାଇ ମୁଁ ନିଏ

ଏକ ଭିନ୍ନ ଜଗତକୁ ।

Image

 

।। ଜନ୍ମଦିନ ।।

 

ଝିଅଦିନ । ଜନ୍ମଦିନ ।

ମନେହୁଏ ସମ୍ପର୍କର ସେତୁପରେ

ସମୟର ବ୍ୟୟକଲା ଧନ ॥

ତେଇଶିଟି ଫଗୁଣର ମାୟା ଆଜି ହୁଏନାହିଁ ଭୁଲି

ଚୈତ୍ରର ଆକାଶ ସ୍ଥିର

ଚତୁର୍ଦ୍ଦିଗେ ଯୌବନର ଭରା ନଈବାଲି

ଓ କେମିତି ମୁଁ ଜଳୁଛି

ଜଳିବାର ଯନ୍ତ୍ରଣାରେ ଆଉଟି ଆଉଟି ।

ବୁଝାପଡ଼େ ନାହିଁ କିଛି ସବୁକି ଚୈତ୍ରର ମାୟା

ଥୁଣ୍ଟାଗଛ । ଚାରିଆଡ଼େ ନିର୍ଜ୍ଜନତା । ଏପ୍ରିଲ୍‌ର ଉଦାସ ପ୍ରହର ।

ଅବା ମୋର ଭରା ଯୌବନର ।

ଯେପରି ଚୈତ୍ରର ବାଆ ଘୂରିବୁଲେ ଶୂନ୍ୟ ମହାଶୂନ୍ୟ

ସବୁକିଛି ଭୁଲିଯାଇ ଜନ୍ମଦିନ ତୋର ପଦଚିହ୍ନ

ପୁଣିଥରେ ସମୟଲୋ ! ତୋତେ କି ଚେତାଇ ଦେଲା

ମୋର କୁଆଁ କୁଆଁ ଧ୍ୱନି

ଏପ୍ରିଲ୍‌ର ଉଦାସ ପ୍ରହର

ସେଥିପାଇଁ ଦେଖାଦେଲୁ ମାଆ.କୋଳ, ଦୋଳି ଛାଡ଼ି

ପ୍ରଜାପତି ସମ ମୋର ଚପଳ ମନର ।

ମୋର ଜନ୍ମଦିନ, ପୁଣି ପିଲାଦିନ

ସବୁର ସମଗ୍ର ସତ୍ତା ମହାଶୂନ୍ୟେ ହୋଇଯାଏ ଲୀନ

ଓ ମୋର ଏକକ ସତ୍ତା ଚୈତନ୍ୟ ନିମଗ୍ନ ।

ଚତୁର୍ଦ୍ଦିଗେ ରୌଦ୍ରର ତାଣ୍ଡବଲୀଳା

ଶୂନଶାନ୍ କାନ୍ତାର ଓ ନଗ୍ର ଜନପଦ ପୁଣି

ଏପ୍ରିଲ୍‌ର ବିଦଗ୍ଧ ମଧ୍ୟାହ୍ନ

ଏତେବେଳେ ଚୈତ୍ରର ଲିରିକ୍ ଗାଇ

ଆତ୍ମାରୁ ଆତ୍ମାକୁ କିଏ କରି ଦେଲା ଭିନ୍ନ

ଓ ମୋତେ ଦେଇଗଲା ଯନ୍ତ୍ରଣାର–

ଯେତେ ଖରାଦିନ

ତେଣୁ ନିଃସଙ୍ଗ କପୋତୀ ପରି

ପାଳିବାକୁ ହୁଏ ଜନ୍ମଦିନ ।।

Image

 

॥ କେତେଦିନ ॥

 

ଏମିତି କାନ୍ଦିବା କ’ଣ ସାରହେବ ବ୍ୟର୍ଥ-ବାହୁନାରେ

ଏ ରାତିର କାନ୍ଦୁରା ଛାତିରେ

ଏମିତି ବା ମୁଁ ତୁମକୁ ଖୋଜୁଥିବି ଛାଇ-ଅନ୍ଧାରରେ ।

କେତେଦିନ ଖୋଜୁଥିବି ଗଳିକନ୍ଦି ବୁଲିବୁଲି

ଡାକୁଥିବି ନିଭୃତରେ ଗୋପନେ ମନ୍ତ୍ରରେ

କେଉଁଠି ଲୁଚିଛ ସତେ ?

ଆମ ଘର, ତୁମ ଘର, ଡେଇଁ ଡେଇଁ ଅମରୀ ଜଙ୍ଗଲ

ଆଉ ଦୂରରେ ଦିଶୁଛି ଯେଉଁ ସାବ୍‌ନା ପାହାଡ଼ଟିଏ

ଯେଉଁଠାରେ ସୂର୍ଯ୍ୟ ଆଙ୍କେ ଲାଲ୍ ଛବି

ଯେମିତି ଛୋଟିଆ ଶିଶୁ ନାଲି ସ୍ୟାହି ଢାଳି

ଛୋଟ ତା’ର କୁନି ଆଙ୍ଗୁଠିରେ

ଆଙ୍କି ବସେ ଅନାବନା ଛବି ।

କେତେଦିନ ବର୍ଷା ଆସି ଛାଟୁଥିବ ଆଖିରେ ମୋହର

ଓ ମୁଁ ନିର୍ବାକ୍ ନିଷ୍ପନ୍ଦ ହୋଇ ଏଇମିତି ଠିଆ ହୋଇଥିବି

ଏବଂ ବାରମ୍ବାର ଇଚ୍ଛାକରି ଯାଉଥିବି ପାହାଡ଼ର ଆରପଟେ

ଝରଣାର ଢେଉ ଭାଙ୍ଗି ଭାଙ୍ଗି

ଖୋଜି ଖୋଜି ପଦଚିହ୍ନ

ବିଡ଼ମ୍ବିତ ବର୍ଷାକ୍ତ ସ୍ମୃତିରେ

ତୁମରି ଛବିର ।

କେଉଁଠି ଲୁଚିଲ ସତେ? କେଉଁଠାରେ ଖୋଜି ପାଉନାହିଁ

କେଉଁଠାରୁ ଆସି ପୁଣି କେଉଁଠାରେ ଗଲ ବା ଉଭାଇ

କେତେ ବା ଖୋଜିବି ସତେ ?

ଅନ୍ଧାରର ଛାଇ-ଆଲୁଅରେ

ହଜିଲା ଦିନର ଜୁଇ ଜଳୁଅଛି ଚାରି ପାରୁଶରେ ।

କେତେଦିନ ଖୋଜୁଥିବି ? କେତେଦିନ ଲୁଚିଥିବ ?

କେତେଦିନେ ପୁଣି ଧରାଦେବ ?

ଲୁଚିବା ଓ ଧରାଦେବା ମଧ୍ୟେ ସତେ କେତେ ବ୍ୟବଧାନ

ସମୟର ଅନନ୍ତ ପ୍ରାଙ୍ଗଣ–

ବଡ଼ଇ ଦାରୁଣ

ହଜିବା ଓ ଖୋଜିବାର ବାଟ ଆଉ ଅଛି କେତେଦିନ ?

Image

 

॥ ନଦୀର ଅନୁଚିନ୍ତା ॥

 

ନଦୀ କିଆଁ ଲମ୍ୱିଯାଏ

ତାଳବନ ତଟେ ତଟେ ବିପର୍ଯ୍ୟସ୍ତ ଢେଉର ଭଙ୍ଗୀରେ

ଅନେକ ଆଶ୍ଚର୍ଯ୍ୟ ସ୍ୱର ଜଳର ସିମ୍ପୋନି ତୋଳି

ଅଙ୍କା ବଙ୍କା ଏ ରାସ୍ତାର ଧାରେ

ନଦୀଇ ଅବୋଧ୍ୟ ହୁଏ, ମୋ ପାଇଁ ସେ ସପ୍ତାଶ୍ଚର୍ଯ୍ୟ ହୁଏ

ଭିନ୍ନ ଏକ ଇଲାକାର ଭିନ୍ନ ପ୍ରଗଣାରେ।

ନଦୀ ଏକ ଦୁଇଧାର

ନଦୀ ଦୁଇ ଆତ୍ମାର ବନ୍ଧନ

ଏ ନଦୀର ମୁହାଣରେ ଦୁଇସ୍ରୋତ ହୋଇଯାଏ ଲୀନ

ପାଇବା ଓ ନ ପାଇବା ମଧ୍ୟେ ରଖି ଯେତେ ବ୍ୟବଧାନ ।

ଏ ନଦୀ ଖୋଜଇ ଆଜି ମୋର ପରିଚୟ

ନୀଳ ନୀଳ ଆଖିରେ ତା’ ଜିଜ୍ଞାସା ଓ ପ୍ରଶ୍ନବାଚୀ ତୀର

ସତ୍ତା ଆଉ ଅସତ୍ତାର ସ୍ଥିତିକୁ ପାଶୋରି ଦେଇ

ପୁନଶ୍ଚ ଧ୍ରୁପଦୀ ଗାଏ

ସମୟକୁ ଉଖାରି ଉଖାରି

(ଛୋଟ ଏକ କୁନିଝିଅ ପରି)

ପୁନରାୟ ବିଶ୍ୱସ୍ତ ବନ୍ଧୁର ପରି ମୋର ଦୁଇ ହାତ ପାପୁଲିରେ

ବିଶ୍ୱାସର ରଙ୍ଗବୋଳେ । ଚିକ୍ ଚିକ୍ ଖରାର କାଚରେ

ତା ମୁହଁକୁ ଦେଖେ ।

ଏବଂ ମୁଁ ପୁଣି ମୋ ଛିନ୍ନ ଭିନ୍ନ ମନକୁ ଗୋଟାଇ

ନୀଳ ନୀଳ ଶବ୍ଦ ସବୁ ଏକତ୍ରିତ କରେ–

ପବନରେ ହସିହସି ଝୁଲୁଥିବା ପତ୍ରଙ୍କ ଓଠରୁ ।

ଏତେବେଳେ ସ୍ମୃତିସବୁ ପାଲଟଇ ଜହ୍ନରାତି

ଥୁଣ୍ଟାଗଛ ସବୁଜିମା ହୁଏ

ଆକାଶରୁ ମୁଠା ମୁଠା ତାରାଫୁଲ ମୋ ହାତରେ ଖସିପଡ଼େ

ଏବଂ ସବୁକୁ ଜାବୋଡ଼ି ଧରି

ଶିଶୁପରି ନିଷ୍ପାପ ମନରେ

ଦୁଇ ଆଖି ମୁଦିଦେଇ ସ୍ଵପ୍ନ ଦେଖେ ଗଭୀର ନିଦ୍ରାରେ ।

ତୁମେ ତ’ ଫେରିଲ ନାହିଁ ଫେରିବାର କଥା କିନ୍ତୁ ଥିଲା

ସମୟର ଚୌରାସ୍ତାରେ ବାଟ ଭୁଲି ସତେ ଅବା ଦୂରେ ହଜିଗଲ

ଏପ୍ରିଲ୍‍ର ଚୈତାଳୀ ସ୍ମୃତିରେ ଅବା–

ବହୁବର୍ଣ୍ଣି ଶୀତର ସନ୍ଧ୍ୟାରେ

ସ୍ୱପ୍ନପରି ଲାଗେ ସିନା ଛୁଟିପରି ଲାଗେ ଗତଦିନ

ସ୍ୱପ୍ନ ଭଲ । ସ୍ମୃତି ଭଲ ।

ଛୁଟିଦିନ ତାହାଠାରୁ ଭଲ ।

ବେଶ୍ ଭଲ ମାଗାଜିନ୍ ଖଣ୍ଡେ ଆଉ ଟ୍ରାନ୍‍ଜିଷ୍ଟାରରୁ

ହିରୋଇନ୍‌ର ସୁର

ମୁଁ କି ଏକ ମୃତଶବ ?

ମୁଁ କି ଏକ ବିକଳଚିତ୍କାର

କେତେକାଳ ଚାହିଁଥିବି–

ଓ ନଦୀର ସୁରରେ ଗାଉଥିବି ଅପେକ୍ଷା ସଙ୍ଗୀତ

ମୋ ଚତୁର୍ଦ୍ଦିଗରେ ଏଠି ବର୍ଷାନାଚ ଶ୍ରାବଣ ସହିତ ।

ସମୟ ଉଡ଼ାଇନିଏ ମୋ ଆତ୍ମାକୁ

ଦୂର ଦୂରାନ୍ତକୁ

ପ୍ରଥମ ପ୍ରେମର ସ୍ମୃତି ଉଜ୍ଜ୍ୱଳ ନକ୍ଷତ୍ର ପରି

ଆଲୋକିତ କରଇ ସତ୍ତାକୁ

ସୀମାରୁ ଅସୀମ ପୁଣି

ଭୂମାତୀତ ମହାଶୂନ୍ୟତାକୁ ।

Image

 

।। ତାଳଚେର ।।

 

ମୋତେ କିଏ ବନ୍ଦୀକଲା

ତାରାଙ୍କର ପାହାଡ଼ ଭିତରେ

ମାଳମାଳ ଧାନବିଲ ନିର୍ଜ୍ଜନ ପ୍ରାନ୍ତରେ ।

ତୁମ ଦୁଇ ଆଖିପରି

ବ୍ରାହ୍ମଣୀର ନୀଳନୀଳ ଢେଉ ସୈକତରେ ।

ଏତେବେଳେ–

ମୋତେ କିଏ ବନ୍ଦୀକଲା

ମୋ ସତ୍ତାର ନୀଳ ଚୌହଦୀରେ ।

ଅବା ମୁଇଁ ଇଛାକରି ବନ୍ଦୀ ହେଲି

ତୁମରି ସେ ଲଳିତ ପତ୍ରରେ ଭରା

ଶାନ୍ତ ସ୍ନିଗ୍ଧ ଛାୟା ବନାନୀରେ ।

ଏହା ସତ୍ତ୍ୱେ ଦ୍ୱିଧା ହୁଏ ।।

ମୋ ଏକକ ସତ୍ତା ଭୁଲି

ଘରଭୁଲି । ବାଟଭୁଲି ।

କେମିତି ବା ବନ୍ଦୀ ହେଲି । ତୁମରି ସେ–

ନରମ ବାଲୁକାଭରା

ନୀଳକେନ୍ଦ୍ର ପରିଧି ଭିତରେ ।

ଯାହାଥିଲା ମୋର ପାଇଁ ତୁମ ଅଭିପ୍ରେତ

ଏକାନ୍ତ ବିଶ୍ୱସ୍ତ । .

ଏଠି ମୋତେ ଭଲଲାଗେ । ବିଭକ୍ତ ଦର୍ପଣ ପରି

ନିଜ ଛାଇ ଦେଖିବାକୁ । ଢେଉ ସୁଏ ।

ଯେ ସୁଅରେ ଭାସିଆସେ

ବହୁ ସ୍ମୃତି ବହୁ ଉପକଥା

ଯାହା ମୋର ଭୂରୁ ଦୁଇ କରଇ କୁଞ୍ଚିତ ।

Image

 

॥ ସମୟର ସ୍ୱର ॥

 

ଯେଉଁଆଡ଼େ ଅନାଇଲେ ଇଏ ଏକ ତାଳର ସହର

ତାଳଚେର ସୁଷମାର ସବୁଜ ଭଣ୍ଡାର ।

ଧାଡ଼ି ଧାଡ଼ି ଡେଙ୍ଗାଗଛ ଶୂନଶାନ୍ ଆକାଶକୁ ଛୁଇଁ

ସତେ କି ତପସ୍ୟା କରେ

ମୌନ ହୋଇ

ବିଲ, ବଣ, ନଦୀ ଓ ପ୍ରାନ୍ତର

ଯେଉଁଆଡ଼େ ଅନାଇଲେ ଏକାକଥା–

ସେଇ ଏକା ସ୍ୱର

ଇଏ ଏକ ତାଳର ସହର ॥

ସେ ସ୍ୱର ଧ୍ୱନିତ ହୁଏ

ବ୍ରାହ୍ମଣୀର ଛଳ ଛଳ ଜଳେ

ସେ ସ୍ୱର ଧ୍ୱନିତ ହୁଏ

ମୋ ମନର ନିଭୃତ କନ୍ଦରେ

ନିଛାଟିଆ ନଈପଠା କାଶତଣ୍ଡୀ ଫୁଲର ଲହଡ଼ି

ସବୁଜ ପତର ପରେ କାକର ଲେଖଇ ବସି

କା’ ମନର ପୁନେଇଁର ଝୋଟି

ଆକାଶର ତାରାପରି

ବଉଦର ଭସା ମେଘ ପରି

ସବୁ ଏଠି ଫୁଟେ ଗୋଟି ଗୋଟି ।।

ସେ ସ୍ୱର କି ଦୂର ଅତୀତର

ସେ ସ୍ୱର କି ନିଭୃତ ଚିତ୍ତର

ହଜିଥିବା ଛଳ ଛଳ କିଶୋରୀ ମନର

ଯାହା ଏଠି ଫେରିଆସେ

ବଣ, ବିଲ, ବୁଦା ଡେଇଁ

ଡେଇଁ କେତେ ଅଗନାଗ୍ନି ବନସ୍ତ ଭିତର

ସେଇଏକ ସ୍ୱର ।।

ସେ ସ୍ୱର କି ବହୁସ୍ୱର

ବହୁରୂପେ କାୟା ପାଲଟାଏ

କେତେବେଳେ ବିଚିତ୍ର ହରଫ୍‍ ଆଙ୍କି

ବ୍ରାହ୍ମଣୀର ବାଲିରେ ବାଲିରେ

ଚମକାଏ ଝାଉଁର ସୁରରେ

କେତେବେଳେ ସମୁଦ୍ରର ଢେଉରେ ଢେଉର

ଆଉ ନଦୀର ମୁହାଁଣେ ।।

Image

 

॥ ବିଗତକୁ ! ନୂତନକୁ ।।

 

ଏକାନ୍ତ ରାସ୍ତାର ଧାରେ ଚାଲି ଚାଲି ଗଡ଼ାଣିଆ

ନାଲି ସଡ଼କରେ । ତମେ କାଲି ଆସିଥିଲ ବିଗତ ହୋ !

ଓଠେ ତମ କୁହୁକ ଖେଳାଇ

ଅସଂଖ୍ୟ ସ୍ଵପ୍ନର ଖିଅ ବୁଣି ବୁଣି

ଜାଭା ଆଉ ସିଂହଳ ଦୀପରୁ । ସାଙ୍ଗରେ ବି

ଆଣିଥିଲ ନିଦର ପୋହଳା ସାଥେ

ଗଣି ଗଣି ଚିକ୍ ଚିକ୍ ବାଲିର ଶାମୁକା । କେଉଁ ଦୂର

ଆଷାଢ଼ରେ ଥରି ଥରି କାନ୍ଦିଥିଲ । ସିକ୍ତ କରି ଦେହ ମନ

ଶ୍ରାବଣ ଆଖିରେ ।

ଜଳିବା ନିଭିବା ଆଉ ନିଭିବା ଜଳିବା ମଧ୍ୟେ

ତୈଳ ସବୁ ନିଃଶେଷ ହେବା ଆଗୁ ପ୍ରଦୀପ ଦେହରୁ

ତୁମକୁ ମୁଁ ଦେଖିଥିଲି । ସରୁ ସରୁ

ପାଇନ୍‌ର ସବୁଜ ଶାଖାରେ ପୁଣି

ପାଣିରେ ପାଣିର ନାଚ ସମୁଦ୍ରର ମୁହାଁଣରେ ।

ସ୍ଵପ୍ନର ଢେଉରେ ଝୁଲି ହଠାତ୍ ଯଦି ନିଦ ଭାଙ୍ଗିଯାଏ

ଶତାବ୍ଦୀର ଦର୍ପଣ ଦେହରେ ।

ଚମକି ପଡ଼ିବା ଆଗୁ ଆନନ୍ଦ ଓ ବିସ୍ମୟରେ

ତମ ଛାଇ ଦେଖେ ମୁହିଁ ତା’ ଭିତରେ । ଆଇନାର କାଚର ପାରାରେ

ସୂର୍ଯ୍ୟର ଲୋହିତ ଚିଠି ଆଣିଚ କି ନୂତନ ହୋ !

ଆଗାମୀର ବେଦ ମନ୍ତ୍ର ପଢ଼ି ପଢ଼ି

ଶୁଭେଚ୍ଛାର ପ୍ରତିଟି ପୃଷ୍ଠାରେ ।

ଯାହା ମୋର ଦୁର୍ଗତ ଜୀବନ ପାଇଁ ଆଜିର ସକାଳେ

ଏକମାତ୍ର ଏକାନ୍ତ ପାଥେୟ ।

ଯାତନା, ଦୁଃଖର କୋହ ଭୁଲି ସବୁ

କ୍ଳାନ୍ତ ଏକ ଘୋଡ଼ାର ଖୁରାରେ –

ବିଜୟର ଶଙ୍ଖ ଫୁଙ୍କି । ଅର୍ଜ୍ଜୁନ ମୁଁ ।

ଏଇ ମୋର ଯାତ୍ରା ଆରମ୍ଭିଚି

ଆରତ କଣ୍ଠରେ ତେଣୁ ଥରି ଥରି

ଗାଉଛି ପ୍ରଭୁ ହେ ! ଆଜି

ମୋର ଏଇ ଯାତ୍ରା ଶୁଭ ହେଉ ।

ହେ ନୂତନ ! ଏ ରଥରେ

ତମେ କ’ଣ ଆଜି ସତେ ସାରଥି ସାଜିବ ???

Image

 

॥ ରବି ବାର ॥

 

ରବିବାର ! ତମ ସ୍ମୃତି ଗାଏ ଏଠି

ଏ ସହର ଦିନ ଦ୍ୱିପ୍ରହରେ

ନିଛାଟିଆ ନିସ୍ତବଧ

ଡହ ଡହ ନିଆଁପରି

ଧୂ ଧୂ ସୂର୍ଯ୍ୟଜଳେ

ନଈକୂଳେ, ଏ ସହରେ

ଛୋଟ ମୋର ଖପରଲି ଘରେ ।।

ସହର ପଡ଼ିଛି ଶୋଇ

ଛ’ ଦିନର କ୍ଳାନ୍ତିପରେ ଅୟୁତେ ନିଦରେ

ଆଖିରେ ଅବାକ୍ ନିଦ ଅଭିଆଡ଼ୀ ଝିଅପରି

ନିଶ୍ଚିନ୍ତେ ଶୋଇଚି

ରାସ୍ତା ସବୁ ଯେମିତି ତା’ ବେଣୀର ଦୋଳନ

ମଲା ସାପପରି ସିଏ ଚିତ୍‌ ହେଇ

ଲମ୍ବି ଅଛି ଯୋଜନେ ଦୂରକୁ

ଚିହ୍ନିବିପାରୁନି ତାକୁ

ଚିହ୍ନିବାର ଇଚ୍ଛା ସବୁ ନେଇ ॥

ରବିବାର ।ଏ ସହର । ଛୋଟ ମୋର ଖପରଲି ଘର !

ସବୁ ମିଶି ସୃଷ୍ଟିକରେ

ସବୁଜ ତ୍ରିକୋଣ

କାହାର ଅପେକ୍ଷା ଏଠି

ବାରମ୍ବାର ପଦ ଧ୍ୱନି ଥରି ଥରି

ମୋ ଘରର ଚଟାଣରେ ଶୁଭେ

ଭୁଲିବାକୁ ମୋ ନିଜକୁ

ସହର ଓ ରବିବାର ସବୁ ॥

Image

 

।। ନିଦ ।।

 

ଛାୟାଚ୍ଛନ୍ନ କୁହେଳୀର ବହଳିଆ ଆସ୍ତରଣ ତଳେ

ଚୁପ୍‌ଚାପ୍ ରାତି କିନ୍ତୁ ଶୋଇପଡ଼େ ଅନେକ ଡେରିରେ

ବିନୀତା-ବେଣୀରେ ଖୋସି ମୁଠା ମୁଠା ବଉଳର ଫୁଲ

ଏବଂ ସମସ୍ତ ମହକ ଫେଣ୍ଟି ଜାଭା ଆଉ ବୋର୍ଣ୍ଣିଓ ଦ୍ଵୀପରେ

ଫିକା ହସ ହସିଥିଲା ରୂପବତୀ କେତକୀ ଓଠରେ ।

ନିଝୁମ୍ ପ୍ରହରେ ଯେତେ ହୃଦୟ ସାଇତା କଥା

ସାତ ସମୁଦ୍ରର ଆଉ ତେରନଦୀ ଡେଇଁ

ମହୁଲବନର ନିଆଁ ଫଗୁଣର ଛାଇରେ ଛାଇରେ

ସାତତାଳ ପଙ୍କ ପୁଣି ଥିଲା ସତେ ???

ରୂପାର ଫରୁଆ ଖୋଲି ଅସୁରୁଣୀ ଜୀବନ ନାଟିକା ???

କେମିତି ସେ ରଜାପୁଅ ପକ୍ଷୀରାଜ ଘୋଡ଼ାପରେ ଚଢ଼ି

ଅସୁରୀକୁ ମାରିଥଲା ଧରିବାକୁ ହାତ କେଉଁ ଅଲିଅଳୀ ସାଧବ ଦୁଲଣୀ।

ବାରହାତ ଲମ୍ବାବାଳ ମାନମୟୀ କେଶବତୀ କଥା

ଗୁମାନୀ ମଉନାବତୀ ପ୍ରଦୀପରେ କୁହାଇଲ କଥା

ନଈ ତୁଠେ ରାଣ ଦେଇ ପାଣିରୁ ମୁଠାଏ

କେମିତି ସେ ଚାରିମିତ ପ୍ରାଣ ଦେଲେ ପାଇବାକୁ କନକାବତୀକୁ !

କୁହୁକ କାଉଁରୀ ଦେଶ ଅଗ୍ନାଅଗ୍ନି ବନସ୍ତକୁ ଡେଇଁ

କଳା ଧଳା ଫୁଲ ଶୁଙ୍ଘି ରଖିଥିଲା ଗୁପତରେ

ମଧୁଗନ୍ଧା ଚହଳ ଜୁଡ଼ାରେ

ଦିନଯାକ କଳାମେଣ୍ଢା କରିଥିଲା

ରୂପଦେଖି କୁହୁକୀ ମାଲ୍ୟାଣୀ ।

ବୁଢୀମା’ର ଅସୁରୁଣୀ ଗପ ପୁଣି

ନିରିମାଖୀ ହେଲା ସୀତା ସେ କେଉଁ ଅଶୋକ ବନ

ହସ୍ତିନାରେ କୁନ୍ତୀର କାମନା;

ପାଞ୍ଚାଳୀ ପ୍ରତିଜ୍ଞା କରେ ବାନ୍ଧିବ ମୁକୁଳା କେଶ

ଦୁର୍ଯ୍ୟୋଧନ ରକ୍ତର ସମୁଦ୍ରେ ।

ପୁରୁଷ ଅଗମ୍ୟ ପୁର ପ୍ରମିଳା ନିଷିଦ୍ଧ ରାଜ୍ୟ

ଉତ୍ତରାର ଉତ୍ତରୀୟ ତଳେ

ବୃହନ୍ନଳା ଲୁଚିରହେ ଆତୁରରେ

ଅହଲ୍ୟା ପାଷାଣୀ ହେଲା,

ନିଠୁର ସେ ଗୌତମଙ୍କ କ୍ରୂର ଅଭିଶାପେ ।

ମନ୍ଥରା ମନ୍ତ୍ରଣା ଦେଲା

କୈକେୟୀର କୁମ୍ଭୀର କାନ୍ଦଣା

ଦିବସେ କୁହୁଡ଼ି ହେଲା ପରାଶର ମୁନିଙ୍କ ଆଦେଶେ

ଯୋଜନ ଯୋଜନ ଧରି ପ୍ରସରିଲା ଗନ୍ଧ ପୁଣି

ମତ୍ସ୍ୟଗନ୍ଧା ଧୀବର କନ୍ୟାର

ସେ ସତ୍ୟବତୀର ।

ଅନେକ ପ୍ରତୀକ୍ଷା ନେଇ

ସୁକୁମାରୀ ରମାକରେ କଠୋର ତପସ୍ୟା

ରୁକ୍ମିଣୀ ହରିଲେ ପ୍ରଭୁ ! ଶିଶୁପାଳ ଫେରିଗଲା

ରାଧାର ବାହୁନା ସିନା କହ୍ନାଇର ପାଇଁ

ଦେବକୀ ଆକୁଳେ ଡାକେ

‘ତୋତେ ତୁହି ରକ୍ଷାକର’

ଯଶୋଦାର ବାତ୍ସଲ୍ୟ ମମତା

ନିବିଡ଼ ଏ ଜଙ୍ଗଲରେ ଦମୟନ୍ତୀ ଖୋଜୁଅଛି

ନଳରାଜା ଚାଲିଗଲେ କାହିଁ ???

ଜରାର ନିଗଡ଼େ ବନ୍ଦୀ ଅମ୍ବାପଲ୍ଲୀ ଶୋକାତୁର

କାହିଁଗଲା ପୁଣି ସତେ

ମାଣିକର କଙ୍କଣ ତା’ ମୋତିର କେୟୂର

ଆଉ ହୀରାର ନୂପୁର ???

ଏଇମିତି କେତେ କେତେ ଅସରନ୍ତି କଥାର କୁହୁଡ଼ି

ନିଦର କମ୍ବଳ ଘୋଡ଼ି ଆଖିବୁଜି ଶୋଇପଡ଼େ

ରାତି ସତେ କେଉଁ ଏକ ଅଭିଆଡ଼ୀ ଝିଅ

ନଝୁମ୍ ପ୍ରହରେ ପୁଣି ......

ନିବୁଜ୍-ତା’ ? କାଚର ମହଲେ–

ଆକାଶରୁ ନିଭିଯାଏ ଚନ୍ଦ୍ର, ଆଉ ଚୁନା ଚୁନା ତାରା ।

ମଧୁ ଚେତନାରେ ସୁପ୍ତ ନିରୀହା ଏ ରାତିର ଆଖିରେ

ମହୁଲି ମନର ମିଠା ଝରିପଡ଼େ ଝରିପଡ଼େ

ରାତି ଶୁଏ ମାର୍ବଲ୍‌ ନିଦରେ ।

(ଆକାଶବାଣୀ କଟକଙ୍କ ସୌଜନ୍ୟରୁ)

Image

 

।। ଆଷାଢ଼-ସଙ୍ଗୀତ ॥

 

ଅଷାଢ଼ ନାଚୁଛି ଏଠି ‘ଝରଣାର ଭାରିବେଣୀ ଫିଟି ଫିଟି ପଡ଼େ”

ଓଦା ମାଟି ସବୁଜ ଘାସରେ

ଅମାନିଆ ପାଦର ତା’ ନୂପୁର ବଜାଇ

ଆଷାଢ଼ ନାଚୁଛି ଏଠି ‘ଝରଣାର ଭାରିବେଣୀ ଫିଟେ ।

ଦୂରର ଆଷାଢ଼ ଖୋଜି

ବେଦନାର ନଈରେ ଗାଧୋଇ

ଧରିତ୍ରୀଠୁଁ ସର୍ବଂସହା

ସୂର୍ଯ୍ୟଠାରୁ ସତ୍ୟର ପ୍ରେରଣା

ତାରାର ମହଲ ତୋଳି ଚନ୍ଦ୍ରଠାରୁ

ଜ୍ୟୋତ୍ସ୍ନାର କସ୍ତୁରୀ ।

ସବୁଜିମା ବୟସର ଇନ୍ଦ୍ରଧନୁ ପଡ଼ୁଛି ଉତୁରି

ତୁମେ ତ ଅଷାଢ଼ ଏଠି ‘‘ବର୍ଷାଭିଜା ବନ୍ଧ୍ୟା ମରୁଭୂମି” ?

ମରୁପଥେ ବଞ୍ଚିବାର ରାହା ଖୋଜି ଖୋଜି

ଆଖିକି କରିଲି ସ୍ଥିର

ଆଷାଢ଼ ବା ଆସିପାରେ

ପଦ ଚିହ୍ନ ମୋର ଅନୁସରି

ଆଷାଢ଼ ନାଚୁଛି ଏଠି ‘ଝରଣାର ଭାରିବେଣୀ ଫିଟି ଫିଟି ପଡ଼େ’’ ।

 

॥ ସକାଳର ପକ୍ଷୀ ॥

 

ଭୋର୍‌ ହେବାକ୍ଷଣି

ସକାଳର ପକ୍ଷୀ ଘୂରିବୁଲେ

ରାଣୀପାର୍କ ବାଗାନ୍‌ ଭିତରେ

ଶାଳ, ପିଆଶାଳ ଘେରା ନିଘଞ୍ଚ ଜଙ୍ଗଲ ଡେଇଁ

ଆଉ ଯେତେ ଉଁଚା ଉଁଚା ଟାଙ୍ଗର ପାହାଡ଼ ।

ସକାଳର ପକ୍ଷୀ କ’ଣ ଗଣେ ନାଇଁ ଆକାଶର ତାରା

ସିଏ କ’ଣ ଜାଣେ ନାଇଁ

ଆକାଶର ତାରାମାନେ ବାଟହୁଡ଼ି ଚାଲିଯାନ୍ତି

କାଖରେ କଳସୀ ଧରି । ନିର୍ବିକାରେ ।

ରକ୍ତାକ୍ତ ସୂର୍ଯ୍ୟକୁ ହତ୍ୟାକରି ।

ତେବେ କିଏସେ ତାକୁ ଉଠାଏ

ଓ ଆଦେଶ ଦିଏ ଗାଇବାକୁ ମାଙ୍ଗଳିକ ସୁର

ନିଜେ ମତୁଆଲା ହୋଇ ମୁଖରିତ କରେ

ଗଗନ, ପବନ । ମାନେ ନାଇଁ

ଖରା, ବର୍ଷା, ଝଡ଼ି ଓ କାକର

ଯେତେବେଳେ ରାତି ପାହି ହୋଇଯାଏ ଭୋର l

ବୁଝେନାଇଁ ସକାଳର ପବନରେ କେତେ ମାଦକତା

ଫୁଟିଲେ ଫୁଲରେ ଅଛି କେତେ ଯେ ଉଷ୍ମତା

ଉଲୁସାଇ ଦେହ ମନ

ଝାଡ଼ି ଝାଡ଼ି ଡେଣାରେ କମ୍ପନ

ଖୋଜି ଖୋଜି ବନାନୀର ସବୁଜିମା

ଅର୍ଘ୍ୟ ବାଢ଼େ ଅଦୃଶ୍ୟ ସତ୍ତାର

ନୈବ୍ୟକ୍ତିକ ପରମ ଆତ୍ମାର ।

କିଏ ସେଇ’ ଯା’ର ପଦଧ୍ୱନି

ଛାଇ ଯାଏ ଧରଣୀ ଉପରେ

ପ୍ରଶାନ୍ତ ପ୍ରଲେପ ବୋଳି,

ପ୍ରସାରି ତା’ ଦୁଇବାହୁ ଆଲିଙ୍ଗନ କରେ

ସକଳ ଚେତନାର ଖଣ୍ଡିତ ଊର୍ଦ୍ଧ୍ୱରେ ।

ସେ କେଉଁ ଋତୁର ଦେଶ

ସକାଳର ପକ୍ଷୀ ଉଡ଼ିଯାଏ

ନୀଳ ବୋଇତରେ । ଗାଇ ଗାଇ ଭୋର୍‌ର ସଙ୍ଗୀତ

ନାଚି ନାଚି କାଗଜ ଡଙ୍ଗାର ପରି

ଉତ୍ତାଳ ସୁଖରେ

ଫିକା ଫିକା ପାଣିଚିଆ ଛାଇ ଆଲୁଅରେ

ସେ ନିଜେ ନିଜର ସ୍ଥିତି ଜାରି କରେ

ସକାଳ ଆଗରେ ।

ସହଜାନନ୍ଦରେ ମତ୍ତ ଶବରୀର ଅଧର ଫାଙ୍କରୁ

ବିଜୁଳି ହସର ଢେଉ ଝରିପଡ଼େ

ମୂଳାଧାରୁ ସହସ୍ର ଚକ୍ରରେ

ସକାଳର ପକ୍ଷୀ ଜାଣେ ସୃଷ୍ଟିର ଏ ଗୋପନ ରହସ୍ୟ

ସେଥିପାଇଁ ସେ ନିଜର ସ୍ଥିତି ଜାରିକରେ

ପ୍ରଫୁଲ୍ଲ କଣ୍ଠରେ ।

Image

 

।। ବୈଦେହୀର ବାର୍ତ୍ତା ।।

 

ଲକ୍ଷ୍ମଣ କାଟିଛି ଗାର ନିଷିଦ୍ଧ ଏ ପର୍ଣ୍ଣ କୁଟୀରରେ

ମୋ ମନ-ବୈଦେହୀ କଲା ରାମଚନ୍ଦ୍ର ଶତ ଅନୁରୋଧ

ଆଣିବାକୁ ସ୍ୱର୍ଣ୍ଣ ଏକ ମୃଗ ।।

ମୋ ନୟନ ତୃପ୍ତି ପାଇଁ କାନ୍ତ ମୋର ଦୃଷ୍ଟିର ଜାହାଜ ।

ଥର ଥର ଓଠେ ମୋ ଭସାଇ

ବାହାରିଲେ ଆଣିବାକୁ ସୁନାର ମିରିଗ

ହାତେ ଧରି ଧନୁଶର

ଡେଇଁ ବହୁ ଗହନ କାନ୍ତାର ॥

ମୁଁ କିନ୍ତୁ ନ ଥିଲି ଜାଣି

ଅଚାନକ “ତ୍ରାହିରେ ଲକ୍ଷ୍ମଣ’’

ବିଚଳିତ କରିଦେବ ପଞ୍ଚବଟୀ ନିଥର ବନକୁ

ଏବଂ ମୋର ହୃଦୟ ଓ ଅଶାନ୍ତ ମନକୁ ।।

ତେଣୁ ମୁଁ ପେଷିଲି ବାବୁ ଲକ୍ଷ୍ମଣ ତୁ ଯାଅରେ ବହନ

ଆଣରେ ମୋ ପାଇଁ କିଛି ବାର୍ତ୍ତା ଏକ ରଘୁ ବୀରଙ୍କର ।

ଲକ୍ଷ୍ମଣ କାଟିଛି ଗାର

ନିଷିଦ୍ଧ ଏ ପର୍ଣ୍ଣ-କୁଟୀରରେ

ବାରମ୍ୱାର ତାଗିଦ୍‌ ତା’

ଡେଇଁବନି ଏ ଗାର ବୈଦେହୀ

କିନ୍ତୁ ହାୟ ! ଅବଶେଷେ ଭୁଲିଲି ମୁଁ–

ଡେଇଁଲି ମୁଁ ସେଇ ଗାର

ନିହାତ୍‌ ଏକ ସରଳ ଓ ଶାନ୍ତ ମନ ନେଇ

ତେଣୁ ଆଜି ବୈଦେହୀ କାନ୍ଦୁଛି ।।

Image

 

।। ନଈରୁ ମଶାଣୀକୁ ।।

 

ଲୁହ ସବୁ ନଈ ହେଲେ

ଦୁଃଖ ସବୁ ଜମାଟ ବାନ୍ଧିଲେ

ବିବର୍ଣ୍ଣ କାନ୍ଥର ଦେହେ ଦୁହେଁ ବସି ଦୁଃଖ ସୁଖ ହେଲେ ।

ଗାଆଁ ମୁଣ୍ଡ ପତ୍ରଝଡ଼ା ଥୁଣ୍ଟା ବରଗଛ

ମୋ ଘରର ମଥାନରେ ପାଦରଖି

ବେଳେବେଳେ ଲାଉଡଙ୍କ ପତ୍ରଙ୍କୁ ଜାବୋଡ଼ି

ଅବେଳରେ କାନ୍ଦୁଥିଲା ଅନେକ ଅନେକ ।

ତା’ ଶାଖାର ପତ୍ରଙ୍କର ବିକଳ କ୍ରନ୍ଦନ

ଝଡ଼ିବାର ଦୁଃଖ ଯେତେ ସୋରି ସୋରି ଲୁହର ନଈରେ

ପତ୍ରଙ୍କର ଦୁଃଖ ସବୁ ଜମାହୁଏ

ନଈ ସୁଏ ଭାସିବା ଦୁଃଖରେ ।

ଦୁଃଖ ଲୁହ, ଲୁହ ଦୁଃଖ ଗାଣିତିକ ପୌନ ପୌନିକତା

ଏବଂ ମୋର କ୍ରୋଧ ଯେତେ ସବୁ ମିଶି

ଚକ୍ରବୃଦ୍ଧି ସୁଧର ହାରରେ

ତତୁର୍ଦ୍ଦିଗ ବିଞ୍ଚି ହୋଇପଡ଼

ମୋ ଇଲାକା ଶୂନ୍ୟକରି କେଉଁ ଏକ ନଗ୍ରର ଉପାନ୍ତେ

ସେ ନଗ୍ରର ପ୍ରଜାମାନେ ବଡ଼ଇ ଅବାଧ୍ୟ

କାହାକୁ ମାନନ୍ତି ନାହିଁ

ରାଜାଙ୍କର ଶୂଳିଦଣ୍ଡ, ହରିକାଠ, ଆଜୀବନ

ନିର୍ବାସନ ଦଣ୍ଡ

ଏ ସବୁ ଘୋଷଣା ସତ୍ତ୍ୱେ ମଦପିଇ ମାତାଲ୍‌ ହୁଅନ୍ତି

କହ ତୁମେ ବିଶ୍ୱପିତା

କାହାକୁ ବା ବିଶ୍ୱାସ କରିବା ?

କାହା ସଙ୍ଗେ ‘ସଇ’ ବସି ହସି ହସି ଧୂଳିରେ ଲୋଟିବା ।

କାହାକୁ କରଜ ଦେଇ

ବାରମ୍ବାର ମୁଣ୍ଡକୋଡ଼ି ହେବା

ମନସ୍ତାପ କରି ପୁଣି ଅକାରଣେ ମୁହଁ ଶୁଖାଇବା ।

ନିଜ ଗାଆଁ ମଶାଣିଲୋ ପର ଗାଆଁ ନଈ

କାହାକୁ ବିଶ୍ୱାସ କୁହ

ନଈକୁ ନା ମଶାଣିକୁ ?

କାହାକୁ କାହାକୁ ?

କିଏ ମୋର ଦୁଃଖ ନେବ ମୁଣ୍ଡେ ବୋହି

ମର୍ତ୍ତ୍ୟରୁ ସ୍ଵର୍ଗକୁ ।

Image

 

।। ଲଳିତାର ଉକ୍ତି ।।

 

ବେଦନାର ଚମ୍ପୂ, ଗାଇ କଣ୍ଠ ମୋର ବଧିରା ହୋଇଲା

‘ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲାରେ’

ମୁଁ କରନ୍ତି ଅଭିସାର ରାଧାପରି

କୁଞ୍ଜବନ ଯମୁନା ପୁଳିନ

ମୁଁ କରନ୍ତି ଅଭିମାନ ଆଡ଼ରୁଷା କିଶୋରୀ ରାଈରପରି

ମୁଁ ପୁଣି ପୂଜନ୍ତି ଶିବ

ଲକ୍ଷେ ଚମ୍ପା ଗୟସ ଫୁଲରେ ।

ସଖୀ କର ଧରି ଧୀରେ ମୁଇଁ ପୁଣି ଅଧୀରା ହୁଅନ୍ତି

ସେ ହଟିଆ ଶ୍ୟାମ ପାଇଁ

ଏ ଗୋପରେ ଡିବି ଡିବି ନାଗରା ବାଜିଲେ

ପଛେ ମୁଁ ସହନ୍ତି ।

ତଥାପି ବଞ୍ଚିତ କରି ସବୁଥିରୁ କବିସୂର୍ଯ୍ୟ !!

କେଉଁ ଗୁଣେ ମତେ ତମେ ଦୂତୀପଣ ଦେଲ ?

ଆହା ଲୋ ସୁଆଗୀ ରାଧା

ତୋ ପାଦରେ ଅଳତା ଲେଖିଲି

କସ୍ତୁରୀ ଚନ୍ଦନ ସାଥେ ସେ ହଟିଆ ଶ୍ୟାମ ପାଇଁ

ବିଡ଼ିଆ ପାନକୁ ମୁଇଁ ସଜାଡ଼ି ରଖିଲି

କେଳି କଦମ୍ବର ମୂଳେ

ଯୁଗଳ ମିଳନ ପାଇଁ

ତମାଳ ଫୁଲରେ ପୁଣି ଦୋଳି ସଜାଇଲି

ଏତେ କଥା କରିଲେ ବି ମୁଁ ହୋଇଲି

ତମ ପାଇଁ, ରାଧାପାଇଁ, କାହ୍ନୁ ପାଇଁ

ପ୍ରିୟ ସଖୀ ଲଳିତା ସଜନୀ ।

ମୋତେ’ଇ କେନ୍ଦ୍ର କରି ତ’

ଏ ବ୍ରଜରେ ଯେତେ କଥା ହେଲା

ନୀପ ମୂଳେ ବଇଁଶୀ ବାଜିଲା

ଉଚ୍ଚାଟିଆ ହୋଇ ରାଧା ମୋ ହାତ ଧଇଲା

‘ଖେଳା ଲୋଳା ଖଞ୍ଜନାକ୍ଷୀକୁ ସାହସ କଲାରେ ।

ମୁଁ ନଥିଲେ ରାଧା ନାହିଁ

କଳାକାହ୍ନୁ ଅସ୍ତିତ୍ୱ ବା’ କାହିଁ

ମୁଇଁ ଅଛି ଏ ମଝିରେ

ବେଦନାର ଚମ୍ପୂ ସବୁ ଗାଇବାକୁ ଅଧୀର କଣ୍ଠରେ ।

 

ଦିନକରେ କଳାକାହ୍ନୁ ରାଧା ବିରହରେ

ବିନୟ ହୋଇ ସରିଲି ବୋଲି ଭାଷନ୍ତେରେ

ମରମ ମୋ ଦହି ହେଲା

ଅଜାଣତେ ତନୁମନ ତା’ ପାଦେ ମୁଁ ବିକିଲି

ତେଣୁ ତମେ କବିସୂର୍ଯ୍ୟ ! ଚିହ୍ନି ନ ପାରିଲ

ସୂର୍ଯ୍ୟର ଜ୍ୱଳନ ଦେଇ

ସବୁ ଭୁଲି ମତେ ତେଣୁ ଦୂତୀପଣ ଦେଲ ।

Image

 

।। ପରୀକ୍ଷା ।।

 

ପରୀକ୍ଷା ହେ ! ତମେ ଆଉ ଗାଅନାହିଁ ବେଦନାର ବାଡ଼ୁଅ ସଙ୍ଗୀତ

ଆମେ ସବୁ ଦରମରା, କ୍ଳାନ୍ତ, ଶ୍ରାନ୍ତ ଅବିରତ ତୁମରି ପ୍ରତୀକ୍ଷା

ଲୁହ, ଲହୁ ଏକାକାର ହସ ଲିଭେ ସମୟର ନୀଳନଈ ତଳେ

ତମରି ଦୁରନ୍ତ ଧ୍ୱନି ଥରେ ଅଧେ ଶୁଭିଯାଏ ଅକସ୍ମାତ୍

ସେମିନାର୍‌, ବାରଣ୍ଡାରେ ଝିଅଙ୍କ ମେଳରେ ।

ପରୀକ୍ଷାର ପାହାଚରେ ପାଦରଖି

ମୁଇଁ ଆଜି ତ୍ରିଶଙ୍କୁ ବନିଚି

ସ୍ଵର୍ଗକୁ ପକାଇ ସିଡ଼ି ଯିବି ଅବା ମର୍ତ୍ତ୍ୟକୁ ମୁଁ ଯିବି

କିଛି ସ୍ଥିର ପାରେନା ମୁଁ କରି

ଆଜିର ଏ ମଧ୍ୟାହ୍ନରେ ରୌଦ୍ରଦଗ୍ଧ ଦିବା ଦ୍ୱିପ୍ରହରେ

ମୋର ଏଇ ବାତାୟନ ପଥଦେଇ ନୀରବରେ ଚାହେଁ ।

ପରୀକ୍ଷା’ ହେ ! ତମେ ସତେ ଆସନ୍ତନି;

ଆଉ ଟିକେ ବିଳମ୍ବରେ ହାତଘଣ୍ଟା ଦେଖି

ତମପାଇଁ ଆୟୋଜନ ସରିନାହିଁ ଅଧାସବୁ

ଆଖିତଳେ କ୍ଳାନ୍ତି ଜମେ, ଅଜାଣତରେ ହାଇଆସେ,

ଅବସନ୍ନ ଦେହ ଲୋଟେ

ବିଛଣା ଉପରେ ।

ତମେ ଆସ ଚିନ୍ତାନାହିଁ

ଯେ’ ହେତୁ ପ୍ରସ୍ତୁତି ଆମ–

ତମ ପାଇଁ, ତମ ଶୁଭ ଆଗମନୀ ପାଇଁ

ଏଟା’ତ ନିଚ୍ଛକ ସତ

ତମେ ତ’ ଆସିବ ଆମ

ଜୀବନର ଶୁଭ ଶଙ୍ଖ ବାଇ ।

Image

 

॥ ମୁଜିବୁର୍‌ ॥

 

ଅକସ୍ମାତ୍‌ କେଉଁ ଏକ ସୁନାର ସକାଳେ

ଦୀର୍ଣ୍ଣ କରି ଅନ୍ତରାତ୍ମା, ହାହୁତାଶ ଆର୍ତ୍ତ କାକୁତିର

ଉଦବେଳିତ ପଦ୍ମା ଆଉ ମେଘନାର ଫେନିଳ କଲ୍ଲୋଳ;

ଛାଇଯାଏ ପାକ୍-ଆକାଶ ଜନତାର ଶୂନ୍ୟ ଚିତ୍କାରରେ

ଅଚାନକ ଝଡ଼ ଉଠେ–

ରାଜସାହୀ, ରଙ୍ଗପୁର, ବୋଗ୍ରା, କୁମିଲ୍ଲାରେ ।

ସାଲ୍‌ଦାର କୂଳେ କୂଳେ

କିଏ ଏଠି ଜାଗିଉଠେ ରକ୍ତାକ୍ତ ଆବେଗେ

ଛିନ୍ନକରି ଶୋଷଣର ଫାଶ

କୃଷ୍ଟିଆର ଚଉଧାରେ ଶୁଭେ ପୁଣି କା’ର ପଦଧ୍ୱନୀ

ସାତକୋଟି ମଣିଷର ମୁକ୍ତିର ସେ ରୌଦ୍ର ଆବାହନୀ

କିଏ ଆହା ଗାଇ ଉଠେ;

ସତ୍ତାଶୂନ୍ୟ ଶରୀରରେ,

ଜଳେ ସ୍ଥଳେ ଗଗନେ ପବନେ

ବଙ୍ଗବନ୍ଧୁର ମୁଜିବୁର୍‌ ତ୍ୱରାନ୍ୱିତ ଆଜିସିନା ଜନତାର ମନେ

ବିପ୍ଳବର ଆରମ୍ଭ ଏ ଶେଷ ବି’ତ ୟା’ର ହୋଇନାହିଁ

ଚଉଦିଗେ ଜଳିଉଠେ ମୁକ୍ତିର ସେ ଲେଲିହାନ ଶିଖା

ପାହିଆସେ ତନ୍ଦ୍ରାଚ୍ଛନ୍ନ ତମସାର ରାତ୍ରୀ

‘‘ଏତେବେଳେ ଜାତିପାଇଁ ପାତିଦିଅ ଛାତି’’

ପୁଣି କିଏ ଗାଇ ଉଠେ

ମାଙ୍ଗଳିକ ଉଦାତ୍ତ ସୁରରେ

ରକ୍ତାକ୍ତ ସ୍ୱାକ୍ଷର ଲେଖି

ମାଟି-ମାଆ-ସୁନ୍ଥା-ପଥ-ଧାରେ ।

ସୂର୍ଯ୍ୟର ଶପଥ ନେଇ ଦୃଷ୍ଟିକା’ର ଊର୍ଦ୍ଧ୍ୱମୁଖୀ ହୁଏ

ଘୂର୍ଣ୍ଣିଝଡ଼ ସାଥେ ନେଇ କିଏ-ଏଠି

ବଦ୍ଧ ମୁଷ୍ଟି ବାରମ୍ବାର ହାଣେ

ଶ୍ରୀହଟ୍ଟ ଓ ବରିସାଲେ ତେଜିବାକୁ ଆଲେକର ବତୀ

ବଙ୍ଗବନ୍ଧୁ ମୁଜିବୁର୍‌ ଆଜିସିନା ଜନତାର ସାଥୀ

ଶୋଷଣ-ନିଆଁରେ ଜଳେ

ଲାହୋର୍‍, ରାଓଲ୍‍ପିଣ୍ଡି ଆଉ ଚଟ୍ଟଗ୍ରାମ

କାଟିକାଟି ଧର୍ମର ସରଳ ମୁଖା

ଶୋଷିତରେ ଦେବାକୁ ସନ୍‌ମାନ୍‌

ଯିଏ ତୁମେ ହୁଅ ଆଗୁଆନ୍

ଯେ ନିର୍ଭୀକ ଉଦାର ମହାନ !

ମୋର ଏଇ ଦୁଇହାତ

ଊର୍ଦ୍ଧ୍ୱେ ଉଠି କରୁଛି ପ୍ରଣାମ ।

Image

 

॥ ତମେ/ମୁଁ–ଆଉ ପିକ୍‍ନିକ୍ ।।

 

ମୁଁ ସଠିକ୍ ଜାଣିଥିଲି ତମେ ଫେରିଯିବ

ଲେଉଟାଣି ଖରାପରି ଚଢ଼େଇଙ୍କ ଡେଣାରେ ଓହଳି

କଳାକଳା ଅନ୍ଧାରରେ ଘୋଡ଼ି ହୋଇ ଚଦର ଖଣ୍ଡିକ ।

କୁଆଡ଼େ ଗଲା ସେ ଦିନ ବଢ଼ିପାଣି କାଦୁଅ ମାଟିରେ

ଗାଁ ଗାଁ ବୁଲିବୁଲି ମହାମାରୀ ମଡ଼କ ଦାଉରୁ

କିଏ ଆଉ ଲୁହପୋଛି–

ମନେ ଦେବ ଅମାପ ସାନ୍ତ୍ୱନା,

ଦେହେ ମନେ ବୋଳିଦେଇ

ଅସରା ସ୍ନେହର ଧାରା;

ବଞ୍ଚିବାର ଆଲୋକ ଚେତନା ।

ତୁମ କଠଉର ଶବ୍ଦ ଶୁଭୁଅଛି

ଗାଆଁ ତୋଟା ଚଉପାଢ଼ି ଠାରେ,

ବଜାର ଛକରେ;

ବର୍ଷାଦିନ ମୁହଁ ମୋଡ଼ି ଫେରିଯାଏ ନାଲି ସଡ଼କରେ

ମାଆ କୋଳେ ପୁଅଥାଇ ପଚାରଇ

ତୁମେ କେଉଁଠାରେ ?

ଆମେ ଏଠି ଭୋଜିକରୁ, ମଜାକରୁ

ହସ ଖୁସି କଥାବାର୍ତ୍ତା କରୁ

ତା’ ଭିତରେ ତମ କଥା ଟିକେ ଟିକେ ଆଲୋଚନା ହୁଏ

ମୁହଁକୁ ଶୁଖାଇ ଦେଉ;

ଏବଂ କଥାର ଲହଡ଼ି ଛୁଟେ ପ୍ରତିଟି ଓଠରେ

କିଏ କହେ ଏତେବେଳେ–

ତମେ ଥିଲେ ଭଲ ହୋଇଥାନ୍ତା ।

କିନ୍ତୁ ଯୋଜନ ଯୋଜନ ଦୂର ଆମଠାରୁ ତମର ଦୂରତ୍ୱ

ତମକୁ ଛୁଇଁବା ପାଇଁ ଖୋଲିଦେଇ ଏ ହାତ-ପାପୁଲି

ଆମେ ଦେଖୁ ଆମ ଆଗେ

ଥୁଆ ଖାଲି ନିରାଶାର ବାଲି ।

Image

 

।। ଅନୁରଣନ ।।

 

ମୁଁ ପୁଣି ଆସିଲି ଫେରି

ଅନ୍ଧାରରେ ପାଦ ଥାପି ଥାପି

ଖୋଜି ଖୋଜି ଆଲୋକ-ସହର

ଯେ ସହରେ ସୂର୍ଯ୍ୟ ଜଳେ

ପୋଖରୀରେ କଇଁ ଖେଳେ ।

ନୀଳ ଜଳ ଛମ୍ ଛମ୍ ହୁଏ

ଯେଉଁଠାରେ ଦିନରେ ଫୁଟଇ କଇଁ–

ରାତିରେ ପଦୁଅଁ

ଢେଉ ତା’ର କଡ଼ ଲେଉଟାଏ ।

ଏ ଢେଉରେ ଅନେକ ବିଚିତ୍ର ସ୍ୱର ଶୁଣାଯାଏ

ଯେଉଁଭଳି ବିନ୍ଦୁଟିଏ ହୋଇ

ଶ୍ରାବଣ ଆରମ୍ଭ କରେ

ଗାଇବାକୁ ବର୍ଷା ନାଚ ଗୀତ

ଏ କାହାର ବେଦଧ୍ୱନି

ହାଡ଼ ମାଂସ, ମଜ୍ଜା ଭେଦି

ପରିବ୍ୟାପ୍ତ ସକଳ ଭୁବନ

ସେ କି ଶୂନ୍ୟ ମହାଶୂନ୍ୟ

ଅବା କା’ର ସକଳ ଭଙ୍ଗୀରେ ।

ଚେତନାର ବିକ୍ଷିପ୍ତ ପ୍ରବାହ ଅବା

ବିଖଣ୍ଡିତ ଅତ୍ମାର କ୍ରନ୍ଦନ

ସକାଳ ଆଲୋକ ହୋଇ

ସଞ୍ଜେ ହୁଏ ନିବିଡ଼ ଅନ୍ଧାର।

Image

 

।। ଚନ୍ଦ୍ରଚୋରୀ ।।

 

ଆକାଶରୁ ଚୋରୀକଲି ଝାପ୍ସା ଆଲୁଅର ଚନ୍ଦ୍ର

ମିଛ ମୁଁ କହୁନି ଏତେ । ପ୍ରିୟତମ ପ୍ରେମପତ୍ର ପରି ।

ନର୍ଲୋଭ ଏ ସହରରେ ବିସ୍ଫାରିତ ଆଶାକୁ ଏକାଠି କରି

ଅକାରଣ ଏପ୍ରିଲ୍‌ର ରୌଦ୍ର ଦ୍ୱିପ୍ରହରେ

ଅଶ୍ରୁ କିଆଁ ଝରେ ଏକାନ୍ତରେ ।

ଧୂଆଁରେ ଆଚ୍ଛନ୍ନ ଏଠି ଆକାଶ ଓ ମନ

ଫାଙ୍କା ଫାଙ୍କା ଶୂନ୍ୟତାର ଅନ୍ତଃସ୍ୱରେ

ପୂର୍ଣ୍ଣ ଆମ ଜୈବିକ ଜୀବନ ।

ଓ ତୁମ କୁଞ୍ଚିତ କେଶ ମୁଁ କାହିଁକି ସାଉଁଳିବି

ବିଶ୍ୱାସର ତାରାଙ୍କୁ ନିଭାଇ ଦେଇ ଆଖି ପଲକରେ

ଓ ହଠାତ୍ ମାଲୁଣୀ ପାଲଟି ଯିବି ରାତି ଅନ୍ଧାରରେ ।

ଦୀର୍ଘ ଏକପ୍ରସ୍ତ ଛାଇ । ଶୂନ୍ୟତା ଓ ନଷିଦ୍ଧ ଅନ୍ଧାର

ଓ ମୋର ଏକକ ସତ୍ତା

ଚନ୍ଦ୍ରଚୋରୀ ଜ୍ଵଳନରେ ଆହୁରି ଜ୍ୱଳନ୍ତ ।

ଅଚାନକ ମନେପଡ଼ । ତୁମେ ସତେ ପାଲଟିଚ କଳାମେଣ୍ଡା

କାହାର ପାଲରେ;

କେଉଁ ଗଜଦନ୍ତ ମୁଦା ଫରୁଆରେ ।

ସେଠାରେ ପବନ ନାହିଁ

ସାତତାଳ ପାଣିତଳେ ଜଳର ଭଉଁରୀ

ସମ୍ମୁଖେ, ପାଶ୍ଚାତେ ପୁଣି

ଅଧଃ, ଊର୍ଦ୍ଧ୍ୱେ ଘନ ଅନ୍ଧକାର

ସେଠାରେ ବି ଚନ୍ଦ୍ରଚୋରୀ

ଜଳକନ୍ୟା ତାମସୀ ମନର ।

ଅନ୍ଧାରର ସ୍ପନ୍ଦନ ଓ ନିବିଡ଼ତା କ୍ରମେ ଗାଢ଼ହୁଏ

ଓ ଆକାଙ୍‌କ୍ଷା ଯେତେ ସବୁ

ମେଘ ହୋଇ ରୂପନିଏ ପ୍ରୀତିର ଶ୍ରାବଣ

ଓ ମୋର ଏକକ ସତ୍ତା ଚୈତନ୍ୟ ନିମଗ୍ନ

ଜ୍ୟାମିତିକ ସୂତ୍ର କାଟେ

ଆତ୍ମସତ୍ତା ଛାୟାର ତ୍ରିକୋଣ ।

Image

 

।। ବର୍ଷା-ସ୍ମୃତି ।।

 

ଏଇମିତି ଶୀତଥରା ଅଚାନକ ହେମାଳିଆ ରାତେ

ବର୍ଷା ତୁମେ କାହା ସ୍ମୃତି ବୋହିଆଣ ଏଇ ଏ ମରତେ

ତମେ କି ଗୋ ଆଣିପାର ଭିଜିଭଜି ଯେତେକ ଖବର ?

ଶଇଶବ ଛୁଆଁ ମୋର ସ୍ମୃତି ଯେତେ କିଶୋରୀ ମନର।

ବଡ଼ଇ ଅବାଧ୍ୟ ପୁଣି ବଡ଼ ଦୁଷ୍ଟ ମୁଇଁ ବାବାଙ୍କର

ମାଆଙ୍କର ଗଣ୍ଠିଧନ କଥା ମୋର ଦରୋଟି ଓଠର

କେତେ ବା ବିରକ୍ତ ମତେ କରୁଥିବୁ ତୁ ସତେ ‘କୁନି’

ତୋ ପାଇଁକି ଦହଗଞ୍ଜ ହେଇ ମୋର ଜୀବନ ଗଲାଣି ।

ରହିରହି ପଦେଅଧେ ବାଜିଯାଏ କାନରେ ମୋହର

ଶାସନଜଡ଼ିତ କଷ୍ଟ ଅତୀତରେ ମୋଅରି ମାଆର,

ସବୁ ଆଜି ମନେପଡ଼େ ତାରୁଣ୍ୟର ଚଳମାନ ସ୍ରୋତେ

ମାଆର ପଣତ କୋଳ ମନେପଡ଼େ ଏଇମିତି ରାତେ ।

ଏଇମିତି ବରଷାରେ ଓଦାହୋଇ ବହିଧରି ହାତେ

ଗାଆଁ ଦାଣ୍ଡେ ମନଇଚ୍ଛା ଖେଳି ଖେଳି ଟୁନି, ମିନି ସାଥେ

ଅକସ୍ମାତ ! ହାବୁଡ଼ରେ ପଡ଼ିଗଲେ ବଡ଼ ଭାଇଙ୍କର

ଚୁଟି ଝିଙ୍କା, ମୁଣ୍ଡେ ଥୋପି ସବୁ କିନ୍ତୁ ମନେଅଛି ମୋର ।

ମନେପଡ଼େ ଏଇମିତ ଆଣ୍ଠୁଆଣି ଓଳିପାଣି ତଳେ

ଖାତାରୁ କାଗଜ ଚିରି ଡଙ୍ଗାକରି ଭସାଇଲାବେଳେ

“ବୋଇତ ଯାଉଛି ମୋର ଜାଭା ଆଉ ସିଂହଳ ଦ୍ୱୀପକୁ’’

ଅଜବ ଖିଆଲ କଥା ମନେପଡ଼େ ହସମାଡ଼େ ସବୁ ।

ଆଜି ଆଉ ମାଙ୍ଗଳିକ ଗାଇବାରେ ତମରି ସ୍ମୃତିର

ବେଳ ନାହିଁ ବେଳ ନାହିଁ ବର୍ଷା ମୋର ଦୂର ଅତୀତର !

ଏ କଥା ନିହାତି ସତ ନୂଆରୂପେ ତମେ ବି ଫେରିବ

ମୋ’ରି ସନ୍ତାନ ପାଶେ ଅଳିକରି ତମେ ବି ଲୋଟିବ ।

ତାଆରି ଦରୋଟି କଣ୍ଠେ ମାଙ୍ଗଳିକ ତମରି ବିନ୍ଦୁର

ମୁଖରିତ କରି କରି ଛୋଟ ମୋର ଅଙ୍ଗନ ଗୃହର

ମୃଗ୍ଧ ମୋର ଦୁଇନେତ୍ରେ ସୃଷ୍ଟିକରି ଅସଂଖ୍ୟ କାହାଣୀ

ସନ୍ତାନ ମୋ କହୁଥିବ କଣ୍ଠଥିବ ଅବୋଧ୍ୟ ରାଗିଣୀ ।

ତେଣୁ କି’ବା ପ୍ରୟୋଜନ ସତେ ଆଉ ବ୍ୟଥିତ ହେବାରେ

ତମେ ତ’ ଫେରିବ ପୁଣି ନୂଆରୂପେ ମୋର ନିକଟରେ ।

Image

 

।। ଝୋଟି ।।

 

ଭଙ୍ଗାମନ, ଶୁଷ୍କକଣ୍ଠ, ଓଦା ଆଖି

ଓ ଆହୁରି ଆଗକୁ ଅନେକ

ଛୁଟିଦିନ । ହସଖୁସି ଦିନଗୁଡ଼ା କେମିତି କଟିଲା ।

କେତେ ଇଚ୍ଛାକଲି ଥରେ ଦେଖିବାକୁ

ଝର୍କା ଭାଙ୍ଗି ତା’ ମନର କାଚ କୋଠରୀକୁ ।

ବାରମ୍ବାର ଇଚ୍ଛା ସତ୍ତ୍ୱେ

ଫେରୁଥିଲି କଟକରୁ ମୋ ଭଙ୍ଗା ଘରକୁ ।

ଆଉ କିଏ କହୁଥ‌ିବ ‘‘ମନଦେଇ ପଢ଼ାପଢ଼ି କର,

ମୁଁ ଯାଉଛି ରାତି ଆସି ନଅଟା ହେଲାଣି’’

କିଏ ଜାଣେ କାଲିକ ବା ଦେଖା ହେଇପାରେ ।

ଅନ୍ୟ ମୁହୂର୍ତ୍ତରେ ।

ମାଣବସା ଗୁରୁବାର ଝୋଟିପକା

ମୋ ପବିତ୍ର ମାଟି ବଖରାରେ

କିଏ ପଶି ଏତେ ଶୀଘ୍ର ସବୁ ପୋଛିନେଲା ।

ଲକ୍ଷ୍ମୀପୂଜା ପାଇଁ ଆଉ କଢ଼ଟିଏ

କାଲିକି ବି ନାହିଁ;

ଅସରନ୍ତି ଭଣ୍ଡାର ମୋ ।

ସିଏ ପୁଣି ଏମିତି ନିଷ୍ଠୁର ।

ଶୂନ୍ୟକକ୍ଷ, ବାତାୟନ । ରୁଦ୍ଧିମନ୍ତ ପବନ କାନ୍ଦିଲା ।

ନିଃସଙ୍ଗ ମୁଁ ! ଏତେ ଲମ୍ବା ଜୀବନର ଗୀତା;

ସାରିବାକୁ ହେବ ।

କେଉଁଠି ସେ କେଉଁଠି ମୁଁ

ସମୁଦ୍ରର ଭଉଁରୀ ଭିତରେ ।

Image

 

।। ଚିଠି ।।

 

ଏଇ ତମ ମୁଦା ଚିଠି ପାଇବାର ପରେ–ଏବଂ;

ପରିଚିତ କେଇଧାଡ଼ି ହାତଲେଖା

ପଢ଼ିଲା ପରେ ବି

ମୋର କାଇଁ ମନେ ପଡ଼ୁଥିଲା......

ଶୀତ ଆଉ ବର୍ଷା ଡେଇଁ

ଅନେକ ତ’ କହିଥିଲେ ଆସିବେ ଏଠିକି

ସେମାନେ ସମସ୍ତେ ଗଲେ

ହାତର ଆଙ୍ଗୁଠି ଗଣି

ଲାଉଫୁଲ ଆୟୁଷକୁ ନେଇ ।

ଅଶୋକା ଗୋ !

ତମ ଚିଠି ଏଇମାତ୍ର ପାଇଲି ମୁଁ

ଚାରିଭାଙ୍ଗ ଗୋଲାପୀ କାଗଜ

ଆହା ସେ ଚିଠିରେ ସତେ

ବୋଝ ବୋଝ ବଉଳର ବାସ

ଟଣା ଟଣା କେତୋଟି ଅକ୍ଷର

ସେ ଚିଠିର ଦର୍ପଣରେ–

ତା’ ମନର ଚଢ଼ାଇ-ନାଚ

ଏବଂ ମୋର ନିଜ ମୁହଁ

ବାରମ୍ବାର ଦେଖିବାକୁ

ମତେ କିନ୍ତୁ ଖୁବ୍ ଭଲ ଲଗେ ।

Image

 

।। ପବନ ।।

 

ପବନ ଫେରୁଛି ଘରେ ଡେଇଁ ଡେଇଁ ଅତି ଉଲ୍ଲାସରେ

ଶୂନ୍ୟ ଏଇ ଦ୍ୱିପ୍ରହରେ ମୁକ୍ତି ମାଗି ସୂର୍ଯ୍ୟର ଚିଠିରେ ।

ଅନେକ ସୋହାଗ ମିଶା

ନିସ୍ତୁକ ଜହ୍ନରେ ଭିଜା କେତୋଟି ଲିରିକ୍

ଗାଉଛି ଅଧୀର ହୋଇ

କୃଷ୍ଣଚୂଡ଼ା ପ୍ରୟାସର ଦୁରନ୍ତ ବାସ୍ନାରେ ।

ତା ଦେହରେ ରଙ୍ଗ ଲାଗେ ବସନ୍ତର ଜୋଛନା ଆଲୁଅ

ପୁଣି କେବେ ରାତିର କାଳିମା ବୋଳି

ବଉଦର ଶିଖରୁ ଶିଖରୁ

ହଠାତ୍ ଝରଣା ଡେଇଁ ଓଦାକଲା ଶୁଖିଲା ମନକୁ ।

ପୁଣି ସେ ଫେରିଲା ହସି ନାଚି ନାଚି

(ଛୋଟ ଏକ କୁନି ଝିଅ ଭଳି )

କ୍ରମଶଃ ଏକାନ୍ତ ପ୍ରହରେ ।

ସମୀର ଗାଉଛି ଗୀତ

ଉନ୍ମାଦର ସୁର ତୋଳି ବଣ, ବିଲ, ଗୋହିରି ନ ମାନି

ଏବଂ ଯେତେ ନଈ, ନାଳ, ଖାଲ ଢିପ

ଅଗନାଗ୍ନି ବନସ୍ତ ସୀମାରେ

ମୁଠାଏ ସୁରଭି ମିଶା ପ୍ରଜ୍ୱଳିତ ଅରଣ୍ୟ ବହ୍ନିରେ ।

ସମସ୍ତ ବ୍ୟର୍ଥତା ଫିଙ୍ଗି ଘନୀଭୂତ ସ୍ତର ଡେଇଁ ଡେଇଁ

ନିର୍ଘାତ ପ୍ରାପ୍ତିର ପରେ

ତା’ ଡେଣାର ଗତିହୀନ ତରଙ୍ଗରେ

ଝଡ଼ର କମ୍ପନ ।

ତେଣୁ ସେ ଚକିତେ ଫେରେ

ଝର୍କାର ରେଲିଂରେ କରି

ବାରମ୍ବାର ଆଘାତର ଧ୍ୱନୀ ।

Image

 

।। ଲନ୍‌ଠନ୍ ।।

 

ଲନ୍‌ଠନ୍ ଓ ମୁଁ

ଦୁହେଁ ଏକ ସମାନ୍ତର ରେଖାରେ

ଜଳିବାକୁ ଆରମ୍ଭ କରିଛୁ ।।

ରାତି ପାହି ସକାଳ ହେଲେ

ଦିନର ଆଲୋକରେ

ଲନ୍‌ଠନ୍ ଲିଭିଯିବ ।

କିନ୍ତୁ ମୁଁ କେତେବେଳେ

ନିଭିବି ମୁଁ ଜାଣେ ନାହିଁ ।।

Image

 

॥ କିମ୍ଭୂତ ।।

 

ଧୂମାଳ ପବନ ବହେ

ଉଡ଼ାଇ ନିଏ ଖରାକୁ ମୋ ଅଗଣାରୁ

ଆଖି କାନ ବନ୍ଦ ହୁଏ

ମୁଠା ମୁଠା ଧୂଳିର ମାଡ଼ରେ

ଚାରିଆଡ଼ ଛିନ୍ନଛତ୍ର ଧ୍ୱସ୍ତ ଓ ବିଧ୍ୱସ୍ତ

ଏବଂ ତା’ ମଧ୍ୟରୁ

ଛାଇ ଏକ ଲମ୍ବି ଆସେ–ଦୀର୍ଘ ଛାଇ

ଲମ୍ବା ଲମ୍ବା ପାହୁଲ ପକାଇ ।

ଲମ୍ବି ଆସେ କଳାକଳା ଦୁଇହାତ

ବେକ ଚାରିପଟେ ଓ ମୋ’

ତଣ୍ଟିକୁ ଜାବୋଡ଼ି ଧରି

ହାତଗୋଡ଼, ବାନ୍ଧି ବାନ୍ଧି

ନିଶ୍ଚିନ୍ତ ଓ ନିର୍ଭୟରେ

ନିମ୍ନ ସ୍ୱରେ ପଢ଼ି ପଢ଼ି କାଉଁରୀ ମନ୍ତର

ଫିଙ୍ଗି ଦିଏ ପୋଖରୀ ଭିତରେ ।

ଏହାପରେ ମୁଁ କି ସତେ ଥମିଯାଏ

ଜୀବନର ବହୁ ମୋଡ଼ ଛକେ

ମତେ ଲାଗେ ଏ ରାସ୍ତାରେ ବତୀ ନାହିଁ

ଗଳିରେ ବି ଭିଡ଼ ନାହିଁ ଶୂନଶାନ୍

କାଁ ଭାଁ କେଉଁଠାରେ ଆଲୋକ ଦିଶଇ

ଅଥଚ କିଏ ସେ ମୋର

ହାତଧରି ଟାଣିନିଏ

ଅନ୍ଧାର ଭିତରେ ।

କ୍ରମେ ସେ ଅନ୍ଧାରେ ଥୁଣ୍ଟାଗଛ ପରି ଠିଆହୁଏ ।

ମୁଁ ଦେଖଇ ଅଦୂରରେ ନିଆଁ ଜଳେ

ନିଆଁ ଚାରିପଟେ

କେତୋଟି ଉଲଗ୍ନ ନାରୀ

ସେମାନଙ୍କ କୋଳାହଳ ସ୍ପଷ୍ଟତର ହୁଏ ।

ଭୟ ଓ ନିର୍ବାକେ

ମୁଁ ଆସଇ ଫେରି

ଓ ବୁଲିଯାଏ ତୁମ ଘର ବଗିଚାକୁ

ଅଦୂରରେ ମନ୍ତ୍ର ପଢ଼େ

କେଉଁ ଏକ ଲଣ୍ଡିତ ବ୍ରାହ୍ମଣ

ମୋ ସାମ୍ନାରେ ଚିଲ ଉଡ଼େ

ଛିଣ୍ଡା ଝାଡ଼ୁ, ଦରପୋଡ଼ା କାଠ

କାହାର କାନ୍ଦଣା ସ୍ୱର

କ୍ରମେ କ୍ରମେ ସ୍ପଷ୍ଟତର ହୁଏ ।

Image

 

॥ ବୃତ୍ତ ॥

 

ଦିଗନ୍ତ ଦିଗନ୍ତ ଛୁଇଁ ଏ ଖରାଟା ସତେ ଚାଲିଯାଏ

ମୁହୂର୍ତ୍ତ ମୁହୂର୍ତ୍ତ ହୋଇ ସମୟଟା ଆଜି ହଜିଯାଏ

ଆକାଶେ ଉନ୍ମନ ଢେଉ ପୁଞ୍ଜୀଭୂତ ଯେତେ ଦୀର୍ଘଶ୍ୱାସ

ସବୁ ପୁଣି ଲିଭିଯାଏ ଅକସ୍ମାତ୍ ! ଜୀବନର ଗୋଲେଇ ଛକରେ ?

ହଠାତ୍ ସବୁ ଚପ୍‌ଚାପ୍‌ ଶାନ୍ତ ଓ ନିଥର

ସେଦିନ ସକାଳ ଥିଲା କାମନାର, ବୁଭୁକ୍ଷୁ ମନର

ଆଜିର ପାର୍ଥକ୍ୟ ମାତ୍ର

ଅନିଶ୍ଚିତ ସତ୍ୟର ସ୍ମାରକୀ

କାମନାର ଚକ୍ଷୁ ଆଜି ଦୃଷ୍ଟିହୀନ କ୍ଳାନ୍ତ, ଶ୍ରାନ୍ତ, ମ୍ଳାନ

ମନର ବୁଭୁକ୍ଷା ମରେ ପ୍ରତ୍ୟୟ ଓ ଜରାର ନିଗଡ଼େ ।

ଯଦିଓ–

ମୁଁ ଜାଣିଥିଲି ତାରୁଣ୍ୟର ଦରଜାଟା ଖୋଲି

ସୋପାନ ସୋପାନ ପରେ ବାର୍ଦ୍ଧକ୍ୟର ଉପସ୍ଥିତି

ନିହାତି ବାସ୍ତବ ଓ ଅବଶ୍ୟମ୍ଭାବୀ

ତଥାପି–

ଏ ମନଟା ବ୍ୟସ୍ତ ଥିଲା

ପାର୍ଟି, ପିକ୍‌ନିକ୍‌ ଆଉ କ୍ଲବ୍ ନେଇ ।

ଆଜି ମୁଁ ଜାଣୁଛି ସତ ଜୀବନଟା ଅନିତ୍ୟ ଓ ଅବସାଦଗ୍ରସ୍ତ

ଗ୍ରନ୍ଥୀରେ ଗ୍ରନ୍ଥୀରେ ଖେଳେ ଶିଥିଳତା ଜରାର ଆଗମେ

କାମନା, ବାସନା, ଅର୍ଥ

ସବୁକିଛି ଭ୍ରାନ୍ତ ଓ ଅଳୀକ

ମନର ମାଳଞ୍ଚେ ଫୁଟେ

ରଙ୍ଗହୀନ ପ୍ରତ୍ୟୟର ହରିନାମ ଫୁଲ ।

Image

 

॥ କଟାଳ କରିବୁ ।।

 

ଜାଣିଥିଲି

ତୁ ଆସିକି ହାବୋଡ଼ିବୁ

କଟାଳ କରିବୁ

ମୋ ହାତରୁ ଡାଲିଚଟୁ ଛଡ଼ାଇବୁ

ଆଡ଼ରୁଷା ଦେଇ

ଆଖି ମଳି ମଳି ମାଟି ପିଣ୍ଡାଟାରେ

ଗୋଡ଼ ହାତ ଲମ୍ବାଇ ବସିଯିବୁ;

ପାଣିଚିଆ ନେଳି ଆଲୁଅରେ

ମୁହଁ ଧୋଇ

ପ୍ରସ୍ତ ପ୍ରସ୍ତ

ରଙ୍ଗ ମାଖି ହେବୁ ।

ଫୁଲଫୁଟା ତାରାବେଳେ

ଝଡ଼ଶେଷ ନଡ଼ିଆଗଛଟି ପରି

ହତଶ୍ରୀ, ବିବର୍ଣ୍ଣ

କି ବିକଳ

ନିଃସଙ୍ଗ ମନର ତଳେ

ନୀରବ ରାଜୁତି ।

ଚୂନଲିପା ଫଟା କାନ୍ଥଟାରେ

ଆକାଶରେ, ପବନର

ସ୍ଥିର ଛାଇ ପଡ଼ିଥ‌ିବା ପାଣିର ଧାରରେ

ବାରିପଟ ଗଛଟାରେ

ନେନ୍ଥି ନେନ୍ଥି ଫୁଟିଥିବା

ତୋଫା ଧଳା ଟଗର ଫୁଲରେ

କେମିତି କାନ୍ଦ କାନ୍ଦ

ଥମ୍ ଥମ୍ ମୁହଁ

ନାଚିଯାଏ

ଅନ୍ଧାର ଘରର ଛାଇପରି ।

ମୋତେ ବେଖାତିର୍‌ କରି

ଛିଗୁଲେଇ ହୁଏ

ମୁଁ ରେଲ୍ ଗାଡ଼ିଟି ପରି ଲମ୍ବିଯାଏ

ସିଟି ମାରି

ସୁସୁରି ବଜାଇ ।

ରାସ୍ତା ସାରା ଭର୍ତ୍ତିଲୋକ

କଲେଜ୍ ଛକ’ଠୁ ରାଣୀହାଟ ଯାଏ

(ଯେମିତି ବର୍ଷାଋତୁରେ ଘାସଙ୍କର ସ୍ଥିତି)

ଭିଡ଼ କାଟି କାଟି ମୁଁ ଚାଲିଛି

ମେଣ୍ଢାପଲ ପରି ଗହଳିକୁ ଠେଲି ପେଲି

ଆଗକୁ ଆଗକୁ ।

ଠକ୍ ଠକ୍ ଥଣ୍ଟର ଆବାଜ୍ ଶୁଭେ

କାଠହଣା ଚଢ଼େଇର

ଘରଫେରା ଜାହାଜର ମାସ୍ତୁଲ୍‌ ଦେହରେ

ଚିକ୍‌ ଚିକ୍‌

ଜହ୍ନ ଆଲୁଅରେ ।

ମୋତେ ମୁହାଁ ମୁହିଁ ହେବା ଆଗରୁ

ମୋର ଭାରି ଭୟ

କାଳେ କିଛି ପଚାରିବ

କଟାଳ କରିବ

ଟହ ଟହ ହସି

ଦୁଇ ହାତ ପତାଇ ତା’

ନିବିଡ଼ରେ ଜାବୁଡ଼ି ଧରିବ

ସ୍ପର୍ଶ ଦେଇଯିବ ।

[ପୁନଶ୍ଚ ମୋ ମନରେ ଭୟ]

ମୁଁ ଘୂରି ଯାଉଥିଲି

ବସ୍ ଘୂରିଗଲା ପରି

ଗୋଲେଇ ଛକରେ

ଲିଙ୍କ୍ ରୋଡରେ ।

Image

 

।। ପୁନରପି ସମୁଦ୍ର ସହିତ ।।

 

ଏମିତି ବି’ ଦିନ ଆସେ ସମୁଦ୍ରରେ ମିଶି ଏକାକାର ହେବ

ହାତଯୋଡ଼ି ପ୍ରାର୍ଥନା ଗାଇବା ।

କିଛିଟା ନିର୍ମାଲ୍ୟ ସନ୍ତକ ଆଉ

ସମୁଦ୍ର ସଂଳାପ ଗାଇ

ବାଇମନ ପ୍ରବୋଧନା ଦେବା ।

ସମୁଦ୍ରରେ ପାଣିରେ ପାଣିର ନାଚ

ସେଠାରେ ବି’ ମଗର ଓ ଶାଙ୍କୁଚର ଭିଡ଼

ପାଣିକି ଉଛୁଳି ପଡ଼େ ଜଳର ଫୁଆରା ହେଇ : ଛିନ୍ନଛତ୍ର ହେଇ

ଶବ୍ଦର ବ୍ରହ୍ମାଣ୍ଡ ହେଇ : ଛୁଇଁବାକୁ–

ଉଡ଼ୁଥିବା ଫରଫର ନେତ

ପବନରେ ପବନର ଗୀତ ଗାଇ ଗାଇ

ଆଲୁଅ ଓ ଅନ୍ଧାରରେ ଜୀବନର ଅର୍ଥ ଖୋଜି

ତୀର ଭୂଇଁ ଛୁଇଁ ।

ପାଣିରେ ପାଣିର ମାଡ଼ । ଫୁଲ ଫୁଟେ

ତୋଫା ଧଳା ଟଗର ଫୁଲର ରଙ୍ଗ

ସେ ଫୁଲର ମହକରେ ! ଦେହ ମନ

ଇନ୍ଦ୍ରିୟ ଉଲୁସି ଉଠେ

ଚିତ୍ତ ହଜେ ଦ୍ୱାରାବତୀ ପୁରେ

ପ୍ରାଣପକ୍ଷୀ ଡେଣା ଯାକିଯୁକି : ଶ୍ରୀ ହରିଙ୍କି ଭଜେ

ନିତ୍ୟ ନିକେତନେ

ଚଉପାଶ ଗହ ଗହ ନାଦରେ ଉଛୁଳି ପଡ଼େ

ଭୂମା ଆନନ୍ଦରେ ।

ଅଦ୍ଭୁତ ସେ ଅନାହତ ନାଦ : ଯିଏ ଆସି

ମତେ ଯୋଡ଼ିଦିଏ ସମୁଦ୍ରରୁ ବଡ଼ ଦେଉଳକୁ

ମଥା ନୋଇଁ କାକୁସ୍ତରେ ଠିଆ ହୋଇଥିବା

ରାଜାଙ୍କ ପ୍ରହରୀ ପରି

ଧାଡ଼ି ବାନ୍ଧି ଝାଉଁର ବଣକୁ

ପୋତି ହୋଇ ପଡ଼ିଥିବା ଶିପ ଆଉ ଶାମୁକାମାନଙ୍କୁ ।

ସେ ସ୍ୱରରେ ମୁହ୍ୟମାନ ହୁଏ ।

ଜଳର ପରିଖା ମଧ୍ୟେ ବାଜି ଉଠେ ଝାଞ୍ଜ, ଗିନି

କୀର୍ତ୍ତନ ଓ ମୃଦଙ୍ଗର ସ୍ୱର

ନିସ୍ତରିଲି ନିସ୍ତରିଲି ଆହେ ବଳିୟାର ଭୁଜ

ଧନ୍ୟ ହେଲି : ନୟନ ସାର୍ଥକ ହେଲା ତୋର

ଶଙ୍ଖ, ଚକ୍ର, ଗଦାପଦ୍ମ ମୂରତିକି ଦେଖି

ରଥ ଥୋଇ

ଯମୁନାର ଏଇ ଏ ବାଲିରେ ।

କାହିଁଗଲା ବୃନ୍ଦାବନ ତମାଳ ଲତାର କୁଞ୍ଜ

କେଉଁଠି ତୋ ଗୋବର୍ଦ୍ଧନ ଗିରି

ସବୁକି ପାଶୋରି ହୁଏ

ଏଇ ଦେହ ଦେହାନ୍ତର ଡେଇଁ

ସବୁ ମିଛ । ସମୁଦ୍ରର ଲୁଣିପାଣି ପରି ଡାହା ମିଛ

ଜଳର ବୁଦ୍ ବୁଦ୍ ମଧ୍ୟେ ।

ସଂସାରର ଅନିତ୍ୟତା ଉଚ୍ଚାରି ଉଚ୍ଚାରି ।

ପୁନରପି ଲୁଣିର ଜୁଆର ଚରିଯାଏ

ସାବ୍‍ଜା ଭୂଇଁ ଲବଣାକ୍ତ ହୁଏ

ଲୁଚିଯାଏ ରଥଚିହ୍ନ

ବାହୁଡ଼ାଇ ନିଏ କିଏ ସେ ଆଗକୁ

ଆଗପରି ଥରୁଟେ ବି ।

ସମୁଦ୍ର କଣ୍ଠରେ ନାହିଁ ଭଜନ, କୀର୍ତ୍ତନ

ଯିଏ ଥରେ ଯୁକ୍ତ କରିଥିଲା

ମୋ ଆତ୍ମାକୁ; ନିର୍ମାଲ୍ୟ ସନ୍ତକ ଦେଇ

ସିଏ ଆଜି ଭାଙ୍ଗିପଡ଼େ

ସମୁଦ୍ରେ ଦୁଃଖରେ ।

Image